ଦିଲ୍ଲୀରେ ତେଜିଲା ପୋଲ କଳି ! ସିଗ୍ନେଚର ବ୍ରିଜର ଶ୍ରେୟ ନେବାକୁ ‘ବିଜେପି-ଆପ’ର ପ୍ରତିଯୋଗିତା ।

141

କନକ ବ୍ୟୁରୋ : ଦିଲ୍ଲୀର ଯମୁନା ନଦୀ ଉପରେ ନିର୍ମିତ ସିଗ୍ନେଚର ବ୍ରିଜ ବିବାଦ ତେଜିଛି । ବ୍ରିଜ ନିର୍ମାଣର ଶ୍ରେୟ ନେବାକୁ ବିଜେପି ଓ ଆପ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଗତକାଲି ମଂଚ ଉପରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଓ ଅମାନତୁଲ୍ଲାଙ୍କ ମାରପିଟ ପରେ ରାଜନୀତି ତେଜୁଛି । ଉଭୟଙ୍କ ନାମରେ ଥାନାରେ ସରକାରୀ କାମରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।

ମଂଚ ଉପରେ ମାରପିଟ । ଥାନାକୁ ଗଲା ସିଗ୍ନେଚର ବିବାଦ । ଦିଲ୍ଲୀର ସିଗ୍ନେଚର ବ୍ରିଜ ଉଦଘାଟନୀରେ ଆରମ୍ଭ ହୋଇଥିବା ବିବାଦ ଏବେ ଥାନାରେ ପହଂଚିଛି । ଆପ ବିଧାୟକ ଅମାନତୁଲ୍ଲା ଖାନ ଓ ବିଜେପି ନେତା ମନୋଜ ତିୱାରୀଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି । ଉସମାନପୁର ଓ ନବେ ସରାୟ ଥାନାରେ ଏତଲା ଦେଇଛନ୍ତି ଦୁଇ ନେତାଙ୍କ ସମର୍ଥକ । ପୁଲିସ ଅଭିଯୋଗର ତଦନ୍ତ ଚଲାଇଛି, ତେବେ କାହା ନାମରେ ମାମଲା ରୁଜୁ କରାଯାଇନଥିବା ଜଏଂଟ ସିପି ରବୀନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ଦୁଇ ନେତାଙ୍କ ନାମରେ ମାରପିଟ୍, ଗାଳିଗୁଲଜ ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।

ମଂଚ ଉପରେ ଠେଲା ପେଲା । ସମସ୍ତଙ୍କ ସାମ୍ନାରେ ନେତାଙ୍କ ହାତାହାତି । ନେତାଙ୍କ ଆକ୍ରୋଶରୁ ବାଦ ପଡିଲାନି ପୁଲିସ । ଦିଲ୍ଲୀର ଯମୁନା ନଦୀ ଉପରେ ନିର୍ମିତ ସିଗ୍ନେଚର ବ୍ରିଜ ଉଦଘାଟନୀ ସଭାରେ ଅଭାବନୀୟ ଘଟଣା । ବିନା ନିମନ୍ତ୍ରଣରେ ଉଦଘାଟନୀ ସମାରୋହରେ ସମର୍ଥକଙ୍କ ସହ ପହଂଚିଥିଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ । ସେ ମଂଚ ଉପରକୁ ଚଢିବାକୁ ଉଦ୍ୟମ କରିବା ମାତ୍ରେ

ଆପ ବିଧାୟକ ଅମାନତୁଲ୍ଲା ଖାନ ଧକ୍କା ଦେଇଥିଲେ । ଆଉ ପ୍ରତିବାଦରେ ମଂଚରେ ଠେଲାପେଲା ମାରପିଟ୍ କରିଥିଲେ ମନୋଜ ଓ ତାଙ୍କ ସମର୍ଥକ । ଆଉ ନେତାଙ୍କ ଏହି ଆକ୍ରୋଶରୁ ବାଦ ପଡିନଥିଲା ପୁଲିସ । ବହୁ କଷ୍ଟରେ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଦିଲ୍ଲୀ ପୁଲିସ । ଘଟଣାକୁ ନେଇ ମନୋଜ କହିଛନ୍ତି ଆପ ବିଧାୟକ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ, ପୁଲିସ ବି ଦୁର୍ବ୍ୟବହାର ଦେଲା । ଅନ୍ୟପଟେ ଅମ୍ମାନତୁଲ୍ଲା ସଫେଇ ଦେଇ କହିଛନ୍ତି ସେ ଧକ୍କା ଦେଇନାହାନ୍ତି ବଂର ମଂଚ ଉପରକୁ ଆସୁଥିବା ମନୋଜକୁ ଅଟକାଇଥିଲେ ।

ମଂଚ ପୂର୍ବରୁ ଟ୍ୱିଟରରେ ଟଣାଓଟରା । ଆପକୁ ଟ୍ୱିଟରରେ ଟାର୍ଗେଟ କଲା ବିଜେପି । ସିଗ୍ନେଚର ବ୍ରିଜ ବା ଏଫିଲ ଟାୱାରର ଉଦଘାଟନୀ ପୂର୍ବରୁ ତାର କିଛି ଫଟୋ ଟ୍ୱିଟ୍ କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟା । ହେଲେ ସେଥିରେ ନେଦରଲାଣ୍ଡ ବ୍ରିଜର ଏକ ଫଟୋ ଚୋରି କରି ଟ୍ୱିଟ୍ କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ତାଜିନ୍ଦର ପାଲସିଂ ବଘା । ଜବାବି ଟ୍ୱିଟରେ ତାଜିନ୍ଦର ଲେଖିଛନ୍ତି ଚୋରି ଓ ଦୁର୍ନୀତି କରିବା ଆପର ପ୍ରକୃତି । ସତସତିକା ବିକାଶ ଆପ କରିଥିଲେ ଫୋଟୋ ଚୋରି କରିବାକୁ ପଡିନଥାନ୍ତା ।