ଶହ ଶହ ବର୍ଷର ପରମ୍ପରାରେ ପଡିବ ପୂର୍ଣ୍ଣଚ୍ଛେଦ ! ଶ୍ରୀମନ୍ଦିରକୁ କସ୍ତୁରୀ ଦେବା ପାଇଁ ମନା କରିଦେଲେ ନେପାଳ ରାଜା

65

କନକ ବ୍ୟୁରୋ : ଶହ ଶହ ବର୍ଷ ଧରି ଚାଲି ଆସିଥିବା ପରମ୍ପରାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ପୁରୀ ଶ୍ରୀମନ୍ଦିରକୁ ନେପାଳରୁ ଆଉ ଆସିବ ନାହିଁ କସ୍ତୁରୀ । ବିଶ୍ୱବ୍ୟାପୀ କସ୍ତୁରୀ ପଠାଇବା ନେଇଥିବା କଟକଣା ଯୋଗୁଁ ବର୍ତ୍ତମାନ ସମୟରେ ପୁରୀ ଶ୍ରୀମନ୍ଦିର କସ୍ତୁରୀ ଆସିବା ସମ୍ଭବ ନୁହେଁ । ଓଡ଼଼ିଶାଗସ୍ତରେ ଆସିଥିବା ନେପାଳର ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହଦେବ ଆଜି ଏହି ସୂଚନା ଦେଇଛନ୍ତି ।

ଶହ ଶହ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ପଡ଼ିଗଲା ପୂର୍ଣ୍ଣଚ୍ଛେଦ । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା କସ୍ତୁରୀ, ଆଉ ନେପାଳରୁ ଆସିବା ସମ୍ଭବପର ନୁହେଁ ବୋଲି ସଫାସଫା କହିଛନ୍ତି ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହଦେବ । ୨୦୦୨ ମସିହାରେ ଶେଷଥର ପାଇଁ କସ୍ତୁରୀ ନେପାଳରୁ ଆସିଥିବା ବେଳେ ଆଉ ଏହା ଶ୍ରୀମନ୍ଦିର ଆସିବା ସମ୍ଭବ ନୁହେଁ ।

Kasturi

କସ୍ତୁରୀ ଯୋଗାଇବାକୁ ନେଇ ଅସହାୟତା ପ୍ରକାଶ କରି ପୁରୀ ଗସ୍ତରେ ଆସିଥିବା ନେପାଳର ରାଜା କହିଛନ୍ତି, କସ୍ତୁରୀ ଏକ ନିଷିଦ୍ଧ ଦ୍ରବ୍ୟ ଏବଂ ଏହା ଉପରେ ଆନ୍ତର୍ଜାତିକ କଟକଣା ରହିଛି । ତେଣୁ ଆଉ କସ୍ତୁରୀ ନେପାଳ ଯୋଗାଇ ପାରିବ ନାହିଁ । ତେବେ ଗତ ବର୍ଷ ଏପ୍ରିଲ ମାସରେ ନେପାଳ ରାଷ୍ଟ୍ରପତି, ବିଦ୍ୟାଦେବୀ ଭଣ୍ଡାରୀ ଭାରତ ଗସ୍ତରେ ଆସିଥିବା ବେଳେ କସ୍ତୁରୀ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଥିଲେ । ସେବାୟତଙ୍କ ସହ ଆଲୋଚନା ପରେ ନେପାଳ ରାଷ୍ଟ୍ରପତି ଦେଇଥିବା ପ୍ରତିଶ୍ରୁତି ଆଉ ଏବେ ନେପାଳ ରାଜା ରଖିଥିବା ପ୍ରତିକ୍ରିୟା ଭିତରେ ପୁଣି ଥରେ ମଉଳି ଯାଇଛି ଓଡ଼ିଶାର ଆଶା ।

ଏବେ ଆସନ୍ତୁ ଜାଣିବା ଏହି କସ୍ତୁରୀ କଣ ।
କସ୍ତୁରୀ ହେଉଛି ଏକ ଦୁର୍ଲଭ ଦ୍ରବ୍ୟ । ଏକ ନିର୍ଦ୍ଦିଷ୍ଟ କୃଷ୍ଣସାର ମୃଗର ନାଭିରୁ ଆସିଥାଏ ଏହି କସ୍ତୁରୀ । ଅଣସର ସମୟରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ଲାଗି ଏହି କସ୍ତୁରୀକୁ ବ୍ୟବହାର କରିଥାନ୍ତି ଦଇତାପତି । ଏହାଛଡା ନବକଳେବର ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ ଦୁର୍ଲଭ କସ୍ତୁରୀ । ୨୦୦୮ରେ ନେପାଳରୁ ରାଜତନ୍ତ୍ର ହଟିବା ପରେ ନେପାଳରେ କସ୍ତୁରୀ ଉତ୍ପାଦନ ପ୍ରଭାବିତ ହୋଇଥିଲା । ଆଉ ଏହା ପରେ ଶ୍ରୀମନ୍ଦିରକୁ କସ୍ତୁରୀ ଆସିବା ନେଇ ସମସ୍ୟା ସୃଷ୍ଟି ହୋଇଛି ।