ରତ୍ନସିଂହାସନ ଉପରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିବେ ନେପାଳ ରାଜା :୧୧ତାରିଖରେ କରିବେ ଆରାଧନା

62
କନକ ବ୍ୟୁରୋ :  ଯେଉଁ ଅଧିକାର ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କର ନାହିଁ, ସେହି ଅଧିକାର ରହିଛି ନେପାଳ ରାଜାଙ୍କର । ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀ ଜିଉଙ୍କୁ ପୂଜା କରିପାରିବେ ନେପାଳର ରାଜା । ୧୫ ବର୍ଷ ପରେ ପୁଣି ଥରେ ଏହି ପରମ୍ପରା ଦେଖିବାକୁ ମିଳିବ ପୁରୀରେ । ନେପାଳ ରାଜା ଜ୍ଞ୍ୟାନେନ୍ଦ୍ର ବୀରବିକ୍ରମ ଶାହଦେବ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ପୂଜାର୍ଚନା କରିବେ । ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ରତ୍ନ ସଂହାସନରେ  ଚାରି ଠାକୁରଙ୍କୁ ନେପାଳର ପୂଜାନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବେ ରାଜା ଜ୍ଞ୍ୟାନେନ୍ଦ୍ର ବୀରବିକ୍ରମ ଶାହଦେବ । ଶ୍ରୀମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିରରେ ତାଲା ପଡିବ । କାହାରିକୁ ଏହି ସମୟରେ କାହାରିକୁ ମନ୍ଦିର ଭିତରକୁ ଛଡାଯିବ ନାହିଁ । ରତ୍ନ ସିଂହାସନ ନିକଟରେ କୌଣସି ସେବାୟତ ମଧ୍ୟ ରହିବେନାହିଁ । ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିବେ ଓ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ନେପାଳ ପଣ୍ଡିତମାନେ ଗଣନା କରି ଏହି ପୂଜାର୍ଚନା କାର୍ଯ୍ୟସୂଚୀ ସ୍ଥିର କରିଛନ୍ତି ।
ଜଗନ୍ନାଥ ସଂସ୍କୃତି ସହ ଯୋଡି ହୋଇରହିଛି ନେପାଳ ରାଜବଂଶର ପୁରୁଣା ସଂପର୍କ । ନେପାଳର ରାଜାଙ୍କୁ ମିଳିଛି ଜଗନ୍ନାଥଙ୍କ ଅନ୍ୟତମ ସେବକର ମାନ୍ୟତା । ଯଯାତିକେଶରୀଙ୍କ ସମୟରୁ ନେପାଳ ରାଜାଙ୍କୁ ମିଳିଛି ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୁଜାର୍ଚନା ପାଇଁ ଅଧିକାର ।
ଭୁବନେଶ୍ୱରରେ ପହଁଚିବା ପରେ ନେପାଳ ରାଜା ଜ୍ଞ୍ୟାନେନ୍ଦ୍ର ବୀରବିକ୍ରମ ଶାହ ଦେବଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟର ସ୍ୱତନ୍ତ୍ର ଅତିଥି ଭାବେ ୧୨ ତାରିଖ ଯାଏ ସେ ଓଡିଶାରେ ରହିବେ । ଆଜି ଜଟଣୀର ଗୋ-ସମ୍ବର୍ଦ୍ଧନା ଉତ୍ସବରେ ସେ ଯୋଗ ଦେଇଛନ୍ତି । କାଲି ଲିଙ୍ଗରାଜ ମନ୍ଦିରରେ ତାଙ୍କର ପୂଜାର୍ଚନା କାର୍ଯ୍ୟକ୍ରମ ରହିଛି ।