ପରୀକ୍ଷା ପୂର୍ବରୁ ପରୀକ୍ଷା

28

କନକ ନ୍ୟୁଜ୍ ବ୍ୟୁରୋ : ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ନ୍ୟାସନାଲ ଏଲିଜିବିଲିଟି ଏଂଟ୍ରାନ୍ସ ଟେଷ୍ଟ ବା ଏନଇଇଟି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ୬ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶାର ୪୨ ହଜାର ଛାତ୍ରଛାତ୍ରୀ ଅଛନ୍ତି । ସିବିଏସଇ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷା ଓଡିଶାର ତିନିଟି ସହରରେ ଅନୁଷ୍ଠିତ ହେଉଛି । ଏନେଇ ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରୀକ୍ଷା ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ହେବ । ତେଣୁ ଛାତ୍ରଛାତ୍ରୀଙ୍କୁ ସକାଳ ସାଢେ ୭ଟାରୁ ସାଢେ ୯ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ କୁହାଯାଇଛି । ସେହିପରି ନିଜ ସହ କୌଣସି ପ୍ରକାର ଜିନିଷ ନଆଣିବାକୁ କୁହାଯାଇଛି । ଗତବର୍ଷ ଉପୁଜିଥିବା କପି ସମସ୍ୟାକୁ ସୁଧାରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ କଡା କଟକଣା ଜାରି କରାଯାଇଛି । ପରୀକ୍ଷା ହଲକୁ ଯିବା ସମୟରେ ପରୀକ୍ଷାର୍ଥୀ ଜୋତା ପିନ୍ଧି ପାରିବେ ନାହିଁ । କେବଳ ସ୍ଲିପର ଓ ସାଣ୍ଡାଲ ପିନ୍ଧି ହଲକୁ ପ୍ରବେଶ କରିଛନ୍ତି ଛାତ୍ରଛାତ୍ରୀ । ସେହିପରି ପେନ୍, ପେନସିଲ, ପ୍ଲାଷ୍ଟିକ ସାମଗ୍ରୀ, କାଲକୁଲେଟର, ସ୍କେଲ, ପେନଡ୍ରାଇଭ, ନେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୋବାଇଲ ଫୋନ, ବ୍ଲୁଟୁଥ, ଇଅରଫୋନ, ବ୍ୟାଣ୍ଡ, ବେଲ୍ଟ, ବ୍ୟାଗ, ରିଙ୍ଗ, କାନଫୁଲ, ଚେନ୍, ନେକଲେସ ଆଦି ନେବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ପାଣି ବୋତଲ ଓ ହାତ ଘଂଟା ମଧ୍ୟ ନେଇ ପାରିବେ ନାହିଁ ଛାତ୍ରଛାତ୍ରୀ । ଏପରିକି ଡ୍ରେସ କୋଡ ମଧ୍ୟ ଜାରି କରାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଜୁନ ୨୪ରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ । ଅଗଷ୍ଟ ୧୭ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ପକ୍ଷରୁ ସୂଚନା ମିଳିଛି । ଏହାସହ ସେପ୍ଟେମ୍ବର ୩୦ ମଧ୍ୟରେ ଏମବିବିଏସ ଓ ବିଡିଏସ ନାମ ଲେଖା ସରିବ ବୋଲି ଯୋଜନା ରହିଛି ।