ରାଷ୍ଟ୍ରପତିଙ୍କ ମୋହର

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେଡିକାଲ କଲେଜରେ ନାଁ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟ – ‘ନିଟ୍’ରୁ ବର୍ଷକ ପାଇଁ ବିଭିନ୍ନ ରାଜ୍ୟକୁ ମିଳିଛି ରିହାତି । ଏନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ତେବେ ଏହି ପରୀକ୍ଷା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ନେଇ ଓଡିଶାର ଛାତ୍ରଛାତ୍ରୀ ପ୍ରଭାବିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଓଜେଇଇ ଅଧ୍ୟକ୍ଷ ।

ରାଜ୍ୟରେ ମୂଳରୁ ଏଆଇପିଏମଟି ପରୀକ୍ଷା ମାଧ୍ୟମରେ ମେଡିକାଲରେ ନାଁ ଲେଖିବାର ବ୍ୟବସ୍ଥା ରହିଛି । ତେଣୁ ରାଜ୍ୟର ଛାତ୍ରଛାତ୍ରୀ ଚଳିତ ବର୍ଷ ଦେଇଥିବା ନିଟ୍ -୧ ଓ ହେବାକୁ ଥିବା ନିଟ୍ -୨ ପରୀକ୍ଷାରୁ ହିଁ ବଛା ହୋଇ ମେଡିକାଲ କଲେଜରେ ନାଁ ଲେଖାଇ ପାରିବେ । ନିଟ୍ ମାଧ୍ୟମରେ ବଛା ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ମେଡିକାଲ କଲେଜରେ ୧୫ ପ୍ରତିଶତ ସିଟ୍ ରହିଥିବା ବେଳେ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ୮୫ ପ୍ରତିଶତ ସିଟ୍ ରହିଛି । ରାଙ୍କ୍ ଭିତିରେ ୧୫ ପ୍ରତିଶତ ସିଟ୍ ପାଇଁ ରାଜ୍ୟ ବାହାର ମେଡିକାଲ କଲେଜରେ ମଧ୍ୟ ପିଲା ପାଠ ପଢିପାରିବେ । ଅନ୍ୟପଟେ ଆସନ୍ତା ଜୁନ ୨୪ ତାରିଖରେ ହେବାକୁ ଥିବା ନିଟ୍-୨ ପାଇଁ ଛାତ୍ରଛାତ୍ରୀ ଏଆଇପିଏମଟରେ ୱେବସାଇଟରେ ନାଁ ପଞ୍ଜିକରଣ କରି ପାରିବେ । ଯେଉଁମାନେ ନିଟ୍ -୧ ଦେଇନାହାନ୍ତି ବା ନିଟ୍-୧ରେ ଭଲ କରିନାହାନ୍ତି, ସେମାନେ ନିଟ୍-୨ ଦେଇପାରିବେ । ଅନ୍ୟପଟେ ନିଟ୍-୧ ଦେଇଥିବା ପରୀକ୍ଷାର୍ଥୀ ନିଟ୍-୨ ପରୀକ୍ଷା ଦେଲେ ନିଟ୍-୧କୁ ବାଦ ଦିଆଯିବ । ସରକାରଙ୍କ ଏକକ ପରୀକ୍ଷା ନୀତିକୁ ସ୍ୱାଗତ କରିଛନ୍ତି ଶିକ୍ଷାବିଦ୍ ।

ନ୍ୟାସନାଲ ଏଲିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟ – ନିଟ୍ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାର ସମାଧାନ ଭାବେ କେନ୍ଦ୍ର କ୍ୟାବିନେଟ ଏକ ଅଧ୍ୟାଦେଶ ଆଣିଥିଲେ ଏବଂ ତାକୁ ରାଷ୍ଟ୍ରପତି ସ୍ୱୀକୃତି ଦେଇଛନ୍ତି । ଫଳରେ ଆସନ୍ତା ବର୍ଷଠାରୁ କେବଳ ନିଟ୍ ହିଁ ମେଡିକାଲ କଲେଜରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ପ୍ରବେଶିକା ପରୀକ୍ଷାର ମାନ୍ୟତା ପାଇବ ।