ମେଡିକାଲ ପ୍ରବେଶିକା ପରୀକ୍ଷାରେ ଚମକାଇ ଦେଲେ ବିହାରର କଳ୍ପନା କୁମାରୀ ! ୬୯୧ ନମ୍ବର ରଖି ହେଲେ ଟପ୍ପର ।

21

ନିଟ୍ ପ୍ରବେଶିକା ପରୀକ୍ଷାରେ ୭୨୦ରୁ ୬୯୧ ନମ୍ବର ରଖିଛନ୍ତି ବିହାରର କଳ୍ପନା କୁମାରୀ । ଚଳିତ ବର୍ଷ ୫୪ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧୩ ଲକ୍ଷ ୨୬ ହଜାର ୭୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିରୁ ୭ ଲକ୍ଷ ୧୪ ହଜାର ୫୬୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବିହାରର ଏହି ପରୀକ୍ଷାର୍ଥୀ ରଖିଛନ୍ତି ୯୯.୯୯ ପର୍ସେନଟାଇଲ୍ । ସାଢ଼େ ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ କଳ୍ପନା କୁମାରୀ ଚଳିତବର୍ଷ ନିଟ୍ ପରୀକ୍ଷାରେ ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ତେବେ ଜାଣନ୍ତୁ କଳ୍ପନା କେଉଁ ବିଷୟରେ କେତେ ନମ୍ବର ରଖିଛନ୍ତି ।
ପଦାର୍ଥ ବିଜ୍ଞାନରେ ୧୮୦ରୁ ୧୭୧ ନମ୍ବର
ରସାୟନ ବିଜ୍ଞାନରେ ୧୮୦ରୁ ୧୬୦ ନମ୍ବର
ଜୀବ ବିଜ୍ଞାନରେ ୩୬୦ରୁ ୩୬୦ ନମ୍ବର

ମୋଟ ୭୨୦ ରୁ ୬୯୧ ନମ୍ବର ରଖି ନିଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି କଳ୍ପନା । ପରୀକ୍ଷାରେ ସଫଳତା ନେଇ ପରୀକ୍ଷାର୍ଥୀମାନେ ଯେଉଁ କଳ୍ପନା କରିଥାନ୍ତି ତାକୁ ବାସ୍ତବରେ କରି ଦେଖାଇଛନ୍ତି ବିହାର କଳ୍ପନା କୁମାରୀ ।ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ନିଟ୍ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତୀମାନେ ଜଣେ ଆଉ ଜଣକୁ ମିଠା ଖୁଆଇ ସେଲିବ୍ରେସନ୍ କରିଥିଲେ । ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ଛାତ୍ରଛାତ୍ରୀମାନେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମ ପାଇଁ ଏଣିକି ଆବେଦନ କରିପାରିବେ ।

ଚଳିତବର୍ଷ ନିଟ୍ ପରୀକ୍ଷା ଦେଇଥିଲେ ୧୩ ଲକ୍ଷ ୨୬ ହଜାର ୭୨୫ ପରୀକ୍ଷାର୍ଥୀ । ଏହି ପରୀକ୍ଷା ପାଇଁ ୧୩୬ଟି ସହରରେ ୨ହଜାର ୨୫୫ଟି ସହରରେ ପରୀକ୍ଷାକେନ୍ଦ୍ର ହୋଇଥିଲା । ଇଂରାଜୀ ସମେତ ଆଂଚଳିକ ଭାଷା ଓଡ଼ିଆ, ବେଙ୍ଗଲି, ମରାଠି, ଗୁଜୁରାଟୀ, ଆସାମୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ଉର୍ଦ୍ଦୁ ଭାଷାରେ ମଧ୍ୟ ନିଟ୍ ପରୀକ୍ଷା ଦେବାର ସୁଯୋଗ ପାଇଥିଲେ ଛାତ୍ରଛାତ୍ରୀ ।