ଓଡିଆ ନୁହେଁ ପରୀକ୍ଷାର୍ଥୀଙ୍କ ପସନ୍ଦ ଇଂରାଜୀ । ଜାତୀୟ ସ୍ତରୀୟ ନିଟ୍ ପରୀକ୍ଷାରେ ଓଡିଆ ଭାଷାରେ ପ୍ରଶ୍ନ ଥିଲେ ବି ଓଡିଆରେ ଉତର ଦେଇ ନାହାନ୍ତି ପରୀକ୍ଷାର୍ଥୀ । ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

29

କନକ ବ୍ୟୁରୋ: ଯେଉଁ ଆଂଚଳିକ ଭାଷାରେ ପରୀକ୍ଷା ପାଇଁ, ରାଜନୈତିକ ସ୍ତରରେ କିମ୍ବା ଭାବପ୍ରବଣତା ଆଧାରରେ ଦାବି ଉଠୁଛି ସେହି ଭାଷାରେ କିନ୍ତୁ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ଅନିଚ୍ଛୁକ । ନିଟ୍ ପ୍ରବେଶିକାରେ କେମେଷ୍ଟ୍ରି, ବାଇଓଲୋଜି ଓ ଫିଜିକ୍ସ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥାଏ । ସେମାନଙ୍କର ଅସୁବିଧା ହେଉଛି ଓଡିଆରେ ପଶ୍ନ ବୁଝିବା ମୁସ୍କିଲ ହେଉଛି । ତିନି ଘଂଟାର ପରୀକ୍ଷା ଏମିତି ସମୟ ଦୃଷ୍ଟିରୁ ନିଅଂଟିଆ । ଆଉ ତା ଭିତରେ ଭାଷା ବୁଝି ପରୀକ୍ଷା ଦେବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ ।

ସାରା ଭାରତରେ ଏମବିବିଏସ ଓ ବିଡିଏସ ମିସି ସରକାରୀ ଓ ବେସରକାରୀ ଭାବେ ୬୩ହଜାର ସିଟ୍ ଥିବାବେଳେ ଏଥର ପରୀକ୍ଷା ଦେଇଛନ୍ତି ୧୩ଲକ୍ଷ ୩୬ହଜାର ଛାତ୍ରଛାତ୍ରୀ । କେବଳ ଓଡିଆ ନୁହେଁ ଏହି ବିରାଟ ପ୍ରତିଯୋଗୀତା ଭିତରେ ଅନ୍ୟ ଆଂଚଳିକ ଭାଷାଗୁଡିକ ପ୍ରତି ମଧ୍ୟ ଆଗ୍ରହ ଦେଖାଉ ନାହାନ୍ତି ପରୀକ୍ଷାର୍ଥୀ । ଶେଷ ହୋଇଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ବା ନିଟ୍ ୨୦୧୮ । ଓଡିଶାରୁ ପ୍ରାୟ ୩୮ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି । କିନ୍ତୁ ଓଡିଆରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅତି ନଗନ୍ୟ । ଦୁଇବର୍ଷ ତଳେ ଓଡିଆରେ ନିଟ୍ ପରୀକ୍ଷା କରିବା ଲାଗି ରାଜନିତୀକ ମହଲ ବେଶ ଚଳଚଂଚଳ ହୋଇଥିଲା । ଉଭୟ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ଯାଏଁ କଥା ଯାଇଥିଲା । ଶେଷରେ ୨୦୧୭ରେ ଓଡିଆରେ ନିଟ କରିବା ଲାଗି ନିଷ୍ପତି ନେଇଥିଲା ସିବିଏସଇ ।

ତେବେ ଏହି ବିଷୟଗୁଡିକର ଶଦ୍ଦ ମୁଖ୍ୟତଃ ଇଂରାଜୀ ଶଦ୍ଦ । ଯାହାକୁ ଓଡିଆରେ ଲେଖିବା ଓ ବୁଝିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟ ହୋଇଥାଏ । ନିଟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ସିବିଏସଇ ପାଠ୍ୟକ୍ରମରୁ ଆସିଥିବାରୁ ସେମାନେ ଇଂରାଜୀ ଭାଷାକୁ ବାଛିଥାନ୍ତି ।