ଘନ କୁହୁଡି ଯୋଗୁଁ ସୁନ୍ଦରଗଡରେ ଅଘଟଣ: ପଛକୁ ପଛ ପିଟିହେଲା ଟ୍ରକ, ଟିପର ଓ ଅଟୋ; ଜଣେ ମୃତ, ୨ଗୁରୁତର

195

କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ଦୁର୍ଘଟଣା । ସୁନ୍ଦରଗଡରେ କୁହୁଡି ଯୋଗୁଁ ବଡ ଅଘଟଣ । ସୁନ୍ଦରଗଡ ଜିଲ୍ଲାର ଉତ୍ତରା ଥାନା ଗଡପୋଷ ଛକ ନିକଟରେ ଘନ କୁହୁଡି ଯୋଗୁଁ ସିରିଜ୍ ଦୁର୍ଘଟଣା ଘଟିଛି । ଟ୍ରକ, ଅଟୋ, ଟିପର ଏପରି ୧୧ଟି ଗାଡି ପଛକୁ ପଛ ପିଟି ହୋଇଛନ୍ତି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ସୁନ୍ଦରଗଡ଼ରେ ଏତେ ଘନ କୁହୁଡ଼ି ହୋଇଥିଲା ଯେ, ନିକଟରୁ ରାସ୍ତା ପରିସ୍କାର ଭାବେ ଦୃଶ୍ୟମାନ ହେଉ ନ ଥିଲା। ତେବେ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକରେ ଏହି କୁହୁଡ଼ି ଯୋଗୁଁ ୧୧ଟି ଗାଡ଼ି ମଧ୍ୟରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ, ଅଟୋ, ଟିପର ପ୍ରଭୃତି ରହିଛି। ତେବେ ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯିବା ସହିତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଗ୍ୟାସ କଟର ଯୋଗେ ହାଇଓ୍ଵାକୁ କାଟି ତାଙ୍କ ମୃତଦେହ ବାହାର କରାଯାଉଛି। ଅନ୍ୟ ଆହତମାନଙ୍କ ଉଦ୍ଧାର କରାଯାଇ କୁତ୍ରା ଡାକ୍ତରଖାନରେ ଭର୍ତ୍ତ କରାଯାଇଛି। ଘଟଣାସ୍ଥଳରେ ପୁଲିସ, ୧୦୮ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

 

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ସେପଟେ ଶୁକ୍ରବାର ରାତି ୮ଟା ୪୫ରୁ ରାତି ୧୨ଟା ୪୫ ଭିତରେ ସୁନ୍ଦରଗଡ଼, ରାଉଲକେଲା ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏସବୁ ସ୍ଥାନରେ ମାତ୍ର ଅଧଘଣ୍ଟା ଭିତରେ ୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ତେବେ ପାଣିପାଗ କେନ୍ଦ୍ର ତରଫରୁ ଜାରି ପୂର୍ବାନୁମାନ ଅନୁଯାୟୀ ଗଜପତି, ଗଞ୍ଜାମ, ନୟାଗଡ଼, ରାୟଗଡ଼ା, କନ୍ଧମାଳ, ବରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଥିଲା।