ବାତ୍ୟା ‘ବାୟୁ’ କୁ ମୁକାବିଲା କରିବା ପାଇଁ ଆଲର୍ଟ ହେଲା ଏନଡିଆରଏଫ୍ ଟିମ୍ ! ଗୁଜରାଟରେ ବିଜୁଳୀ ନେଲାଣି ୬ ଜୀବନ ।

170

ବାତ୍ୟା ‘ବାୟୁ’ ଦ୍ରୁତ ଗତିରେ ମାଡିଆସୁଛି । ପାଣିପାଗ ବିଭାଗ ମୁତାବକ,ଏହି ବାତ୍ୟା ଦ୍ୱିପ୍ରହର ସମୟରେ ଗୁଜରାଟର ପୋରବନ୍ଦର ଏବଂ କଚ୍ଛ ଭଳି ଉପକୂଳ ଅଞ୍ଚଳରେ ମାଡ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଗୁଜରାଟରେ ବାତ୍ୟା ବାୟୁର ଭୟ ଟଳିବା ଭଳି ଖବର ଆସୁଛି । ବର୍ତ୍ତମାନ ପବନର ବେଗ ୧୫୫ ରୁ ୧୫୬ କି.ମି. ପ୍ରତିଘଣ୍ଟାରେ ବହୁଥିବା ବେଳେ ବୁଧବାର ସନ୍ଧ୍ୟାରୁ ହିଁ ଏଠାରେ ଦ୍ରୁତ ପବନ ବହିବା ଆରମ୍ଭ ହୋଇଯାଇଛି । ସମୁଦ୍ରରେ ମଧ୍ୟ ଅଶାନ୍ତ ହୋଇପଡିଛି । ‘ବାୟୁ’ ପବନରେ ଗୁଜରାଟରେ ୬ ଜଣଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳୁଛି ଯେ ବିଜୁଳୀ ମାରିବା ଯୋଗୁଁ ଗଛ ତଳେ ଆଶ୍ରୟ ନେଇଥିବା ଏହି ଲୋକଙ୍କ ମୃତ୍ୟୁବରଣ ହୋଇଛି ।

 

ଏହି ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏବେ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପବନର ବେଗକୁ ଦେଖି ୭୦ ଟି ଟ୍ରେନକୁ ମଧ୍ୟ ବାତିଲ୍ କରାଯାଇଛି । ସ୍କୁଲ,କଲେଜ୍ , ଏୟାରପୋର୍ଟ ସବୁ ବନ୍ଦ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ବାୟୁରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପୋରବନ୍ଦରରେ ଏନଡିଆରଏଫ୍ ର ୬ ଟି ଟିମ୍ କୁ ଆଲର୍ଟରେ ରଖାଯାଇଛି । ପ୍ରତି ଟିମରେ ୩୦ ସଦସ୍ୟ ରହିଛନ୍ତି । ବାତ୍ୟା ବାୟୁ ପାଇଁ ମୁମ୍ବାଇରେ ମଧ୍ୟ ହାଇଆଲର୍ଟ ଜାରି କରାଯିବାର ସୁଚନା ରହିଛି ।