ଆନ୍ଦୋଳନରେ ଡାକ୍ତର, ରୋଗୀ ସେବା ବ୍ୟାଘାତ। ଜରୁରୀକାଳୀନ ସେବାକୁ ଛାଡି ସବୁଠି ଦେଖିବାକୁ ମିଳୁଛି ଧର୍ମଘଟର ପ୍ରଭାବ

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ରାଜ୍ୟରେ ମଧ୍ୟ ସମସ୍ତ ହସ୍ପିଟାଲରେ କାର୍ଯ୍ୟ ବନ୍ଦ

87

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆଜି ୨୪ ଘଂଟିଆ ଧର୍ମଘଟ ଡାକରା ଦେଇଛନ୍ତି ଡାକ୍ତର । ଇଣ୍ଡିଆନ ମେଡିକାଲ ଆସୋସିଏସନର ଡାକରାରେ ଧର୍ମଘଟ ବେଳେ ସମସ୍ତ ଅଣଜରୁରୀ ସେବା ବନ୍ଦ ରହିବା ସହ ସକାଳ ୬ଟାରୁ ଓପିଡି ବନ୍ଦ ରହିଛି । ପ୍ରଥମ ଥର ଲାଗି ଦେଶବ୍ୟାପୀ ଆନ୍ଦୋଳନରେ କର୍ପୋରେଟ ହସ୍ପିଟାଲ ସାମିଲ ହୋଇଛନ୍ତି ।

ଦେଶରେ ଡାକ୍ତରଙ୍କ ସ୍ଥିତିରେ ଦିନକୁ ଦିନ ଅବନତି ଘଟୁଥିବାରୁ ଏ ନେଇ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛି ଆଇଏମଏ । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ସରକାରୀ ଓ ବେସରକାରୀ ମେଡିକାଲ ସେବା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ ସମସ୍ତ ରାଜ୍ୟକୁ ଚିଠି ଲେଖି କଠୋର ଆଇନ ଲାଗୁ କରିବାକୁ କହିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଡାକ୍ତରଙ୍କ ସୁରକ୍ଷା ପାଇଁ ଜାତୀ. ସ୍ତରରେ ଆଇନ ପ୍ରୟଣୟ କରିବାକୁ ଦାବି କରିଛନ୍ତି ।

ତେବେ ଆଇଏମଏ ଡାକରାରେ ୨୪ ଘଂଟିଆ ଆନ୍ଦୋଳନରେ କଟକରେ ମଧ୍ୟ ସମସ୍ତ ଡାକ୍ତର ସାମିଲ ହୋଇଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି । ଫଳରେ ରୋଗୀ ମାନେ ହନ୍ତସନ୍ତ ହେଉଛନ୍ତି । ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଆଇଏମଏର ରାଜ୍ୟ ଶାଖା ସଭାପତି ଓ ସଂପାଦକ ।

ସେହିଭଳି ଆନ୍ଦୋଳନରେ ଏମ୍ସ ଡାକ୍ତର ବି ସାମିଲ ହୋଇଛନ୍ତି । ଏମ୍ସ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଓପିଡିରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । କେବଳ ଜରୁରୀକାଳୀନ ଚିକିତ୍ସା ସେବା ଜାରି ରହିଛି । ଆନ୍ଦୋଳନରେ ସିନିୟର ଡକ୍ଟର, ଜୁନିୟର ଡକ୍ଟର, ରେସିଡେଂଟ ଡକ୍ଟର ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଦେଶର ସମସ୍ତ ଏମ୍ସର ଡାକ୍ତରମାନେ ସାମିଲ ହୋଇଛନ୍ତି ।