ମହିଳା ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା!

32

କନକ ବ୍ୟୁରୋ : ବରିଷ୍ଠ ମହିଳା ସାମ୍ବାଦିକ ତଥା ସମାଜ କର୍ମୀ ଗୌରୀ ଲଙ୍କେଶ(୫୫)ଙ୍କୁ ଗତ କାଲି ବେଙ୍ଗାଲୁରୁଠାରେ ତାଙ୍କ ବାସଭବନରେ ଗୁଳିକରି ହତ୍ୟା କରାଯାଇଛି । ଗୌରୀ ରାତି ୮ଟାରେ ତାଙ୍କ ଅଫିସରୁ ଫେରି ରାଜରାଜେଶ୍ୱରୀନଗରସ୍ଥିତ ବାସଭବନରେ ପ୍ରବେଶ କରୁଥିବା ବେଳେ ୩ଜଣ ବାଇକ୍‌ ଆରୋହୀ ସେଠାରେ ପହଞ୍ଚି ତାଙ୍କୁ ୭ଥର ଗୁଳି କରିଥିଲେ । ଏଥିରୁ ୩ଟି ଗୁଳି ତାଙ୍କ ମୁଣ୍ଡ, ବେକ ଓ ଛାତିରେ ବାଜିଥିଲା ଓ ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଗୁଳି ଶବ୍ଦ ଶୁଣି ପରିବାର ସଦସ୍ୟମାନେ ଘର ମଧ୍ୟରୁ ବାହାରକୁ ଆସି ଗୌରୀଙ୍କ ଗୁଳିବିଦ୍ଧ ଶରୀରକୁ ଦେଖିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ।

ଗୌରୀ ବାମପନ୍ଥୀ ଓ ହିନ୍ଦୁତ୍ୱ ବିରୋଧୀ ଚିନ୍ତାଧାରା ସମ୍ପନ୍ନ ଥିଲେ। ସେ ‘ଲଙ୍କେଶ ପତ୍ରିକେ’ ନାମକ ଏକ ସାପ୍ତାହିକ କନ୍ନଡ଼ ସମ୍ବାଦପତ୍ର ପ୍ରକାଶ କରୁଥିଲେ। କନ୍ନଡ଼ ସାମ୍ବାଦିକତାରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ତାଙ୍କ ବାପା ବିଶିଷ୍ଟ ଲେଖକ ପି ଲଙ୍କେଶଙ୍କ ପରି ସେ ବିବାଦୀୟ ରହିଥିଲେ। ବିଜେପି ସାଂସଦ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ରୁଜୁ ମାନହାନି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୬ରେ ୬ମାସ କାରାବରଣ କରିଥିଲେ। ଗୌରୀଙ୍କ ହତ୍ୟା ଖବର ପାଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକପ୍ରକାଶ କରିଛନ୍ତି। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା କହିଛନ୍ତି। ଅପରାଧୀମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି।