ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢାକୁ ନେଇ ରାଷ୍ଟ୍ରୀୟ ଶିଶୁ ଅଧିକାର କମିଶନଙ୍କ କଡା ମନ୍ତବ୍ୟ : କହିଲେ, ଆଇନ୍ ଭାଙ୍ଗିଲେ ବନ୍ଦ କରିଦିଆଯିବ ସ୍କୁଲ୍

150

କନକ ବ୍ୟୁରୋ : ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ଘରୋଇ ସ୍କୁଲଗୁଡ଼ିକ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉ ନାହାଁନ୍ତି ସେଭଳି ସ୍କୁଲ୍ ବନ୍ଦ କରିଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା କମିଶନ । ଆଜି ସଚିବାଳୟରେ ସମୀକ୍ଷା ପରେ ଏଭଳି କହିଛନ୍ତି କମିଶନଙ୍କ ସଦସ୍ୟ ପ୍ରିୟଙ୍କା କାନୁନଗୋ ।କମିଶନଙ୍କ ଦୁଇ ସଦସ୍ୟ- ପ୍ରିୟଙ୍କା କାନୁନଗୋ  ଓ ଯଶୱନ୍ତ ଜୈନ ଆଜି ସଚିବାଳୟରେ ଗଣଶିକ୍ଷା ବିଭାଗ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା ପରେ ଏଭଳି କଡ଼ା ବାଣୀ ଶୁଣାଇଛନ୍ତି ।

ଶିକ୍ଷା ଅଧିକାର ଆଇନ ଅନୁସାରେ ଦେଶର ସମସ୍ତ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ମାଗଣାରେ ପାଠ ପଢ଼ୁଥିବା ଗରିବ ପିଲାଙ୍କ ଟ୍ୟୁସନ୍ ଖର୍ଚ୍ଚ ସରକାର ଭରଣା କରିବା କଥା । ଓଡ଼ିଶାରେ ପିଲା ପିଛା ସରକାର ବାର୍ଷିକ ୯,୧୮୪ ଟଙ୍କା ଦେଉଛନ୍ତି । ଉଦାହରଣସ୍ୱରୂପ ଭୁବନେଶ୍ୱରରେ ରହିଛି ୨୧୨ ଘରୋଇ ସ୍କୁଲ । ୨୦୧୬-୧୭ ଶିକ୍ଷା ବର୍ଷରେ ଭୁବନେଶ୍ୱରର ବିଭିନ୍ନ ଘରୋଇ ସ୍କୁଲରେ ୧୬,୦୦୦ ପିଲା ନାମ ଲେଖାଇଥିବା ବେଳେ ମାତ୍ର ଶିକ୍ଷା ଅଧିକାର ଆଇନ- ଆରଟିଇରେ ମାତ୍ର ୩୦୭ଜଣ ପିଲାଙ୍କ ନାମ ଲେଖାଯାଇଥିବା ଜଣାପଡ଼ିଛି । ସ୍କୁଲଗୁଡ଼ିକ ବିଭିନ୍ନ ବାହାନା ଦେଖାଇ ଗରିବ ପିଲାଙ୍କ ନାଁ ଲେଖାଇବାକୁ ମନା କରୁଥିବା ଦେଖାଯାଉଛି ।

ସେହିଭଳି ଓଡ଼ିଶା ସରକାରଙ୍କ ପରିବର୍ତ୍ତିତ ଗାଇଡଲାଇନ୍ ମଧ୍ୟ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି । ଯେଉଁ ସ୍କୁଲଗୁଡ଼ିକ ସରକାରୀ ଜମି, ଏମ୍ପିଲାଡ୍, ଏମ୍ଏଲ୍ଏଲାଡ୍ ଭଳି ବିଭିନ୍ନ କ୍ଷେତ୍ରରୁ ସରକାରୀ ସହାୟତା ନେଇଥିବେ ସେମାନଙ୍କ ଖର୍ଚ୍ଚ ଭରଣା କରାଯିବ ନାହିଁ ବୋଲି ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଏଭଳି ଏକ ବିଚିତ୍ର ପରିସ୍ଥିତିରେ ଓଡ଼ିଶାରେ ଶିକ୍ଷା ଅଧିକାର ଆଇନ ଏକପ୍ରକାର ଫେଲ୍ ହୋଇଥିବା ଦେଖାଯାଉଛି ।