ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ । ନବୀନଙ୍କୁ ଚିଠି ଲେଖି ସମର୍ଥନ ଜଣାଇଲେ ଏନସିପି ମୁଖ୍ୟ ଶରଦ ପାୱାର ।

194

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଚିଠି । ମହିଳାଙ୍କ ପାଇଁ ବିଧାନସଭାରେ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ନେଇ ନବୀନଙ୍କୁ ଚିଠି ଲେଖିଛନ୍ତି ଶରଦ ପାୱାର । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଜେଡିକୁ ସମର୍ଥନ କରିବ ଏନସିପି ବୋଲି ଚିଠି ଲେଖି ଜଣାଇଛନ୍ତି ଶରଦ । ସଂସଦରେ ବିଜେଡିର ଏହି ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ ଜଣାଇବେ ଏନସିପି ମୁଖିଆ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପ ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତ କିଛି ଦିନ ତଳେ ରାଜ୍ୟ ବିଧାନସଭାରେ ଶାସକ ବିଜେଡି ଦଳ ପକ୍ଷରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ପ୍ରସ୍ତାବ ଆଗତ ହୋଇଥିଲା । ଏହାପରେ ସମସ୍ତ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଏବାବଦରେ ଚିଠି ଲେଖି ସମର୍ଥନ ଲୋଡ଼ିଥିଲେ ।

ଦେଶର ପ୍ରଗତି ପଛରେ ମହିଳାଙ୍କ ସାହାଯ୍ୟ ଓ ଭାଗିଦାରିତା ଅତ୍ୟନ୍ତ ଆବଶ୍ୟକ । ତେଣୁ ମହିଳାଙ୍କ ପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି ନବୀନ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେହିଭଳି ପୂର୍ବରୁ ମଧ୍ୟ ନବୀନଙ୍କୁ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନବୀନଙ୍କୁ ସଂସରେ ଏହାକୁ ସମର୍ଥନ କରିବେ ବୋଲି ସମର୍ଥନ ଜଣାଇଥିଲେ ।