ପୁଣି ସାମନାକୁ ଆସିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ! ଭିନ୍ନକ୍ଷମଙ୍କ ସାର୍ଟିଫିକେଟ୍ ପାଇଁ ଡ଼ାକ୍ତରୀ ପରୀକ୍ଷା ବେଳେ ଉତ୍ତେଜନା

25

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଅବ୍ୟବସ୍ଥାକୁ ଖୋଲାଖୋଲି ସ୍ୱୀକାର କରୁଛନ୍ତି ଶଲ୍ୟ ବିଶେଷଜ୍ଞ । ଆଉ ହସପିଟାଲର ପରିଚାଳନା ଜନିତ ତୃଟିକୁ ଗଣମାଧ୍ୟମ ସାମନାରେ ରଖୁଛନ୍ତି ବେଧଡକ । କହିବାକୁ ସଂକୋଚ ମଧ୍ୟ କରୁନାହାଁନ୍ତି ଯେ ଅର୍ଥୋପେଡିକ୍ ଡ଼ାକ୍ତରଙ୍କ କାମ ସେ ଚଳାଉଛନ୍ତି ।

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଏ ଅବ୍ୟବସ୍ଥା ଦୀର୍ଘ ଦିନର । ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ପାଖାପାଖା ୨ଶହ ହିତାଧିକାରୀଙ୍କୁ ପରୀକ୍ଷା ପାଇଁ ଡ଼କାଇ ଥିଲେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ । ହେଲେ ମାତ୍ର ୪୦ ରୁ ୪୫ ହିତାଧିକାରୀଙ୍କୁ ପରୀକ୍ଷା କରାଇବା ପରେ ଚାଲିଯାଇଥିଲେ ଡ଼ାକ୍ତର । ଫଳରେ ନିରାଶ ହୋଇ ଫେରିଥିବା ହିତାଧିକାରୀ ଏହାର ତୀବ୍ର ପ୍ରତିବାଦ କରିଥିଲେ । ସକାଳୁ ଅପେକ୍ଷା କରିଥିବା ହିତାଧିକାରୀ ମେଡିକାଲ ଆଉଟଡୋରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ ।

ଘଟଣାସ୍ଥଳରେ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଡ଼ାକ୍ତର ଓ ପୁଲିସ ପହଂଚିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଅର୍ଥୋପେଡିକ୍ ଡ଼ାକ୍ତର ଛୁଟିରେ ଥିବାବେଳେ ଅର୍ଥୋପେଡିକ୍ ହିତାଧିକାରୀଙ୍କ ପରୀକ୍ଷା କରିଛନ୍ତି ସର୍ଜରି ସ୍ପେଶାଲିଷ୍ଟ । ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସଲ ଚେହେରା ପଦାକୁ ଆସିଛି । ତେବେ ଏଭଳି ଘଟଣାକୁ ଏକ ଭୂଲ ବୁଝାବଣା କହି ହାଲକା ଭାବରେ ନେଇଛନ୍ତି ସିଡିଏମଓ ।

ଅର୍ଥୋପେଡିକ୍ ସ୍ପେଶାଲିଷ୍ଟ ଛୁଟିରେ ଥିବା ବେଳେ ସେ ସଂପର୍କୀତ ପରୀକ୍ଷା ପାଇଁ ହିତାଧିକାରୀଙ୍କୁ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାହିଁକି ଡକାଇଲା, ସେ ନେଇ ପ୍ରଶ୍ନ ଉଠିଛି ।