ନୟାଗଡରେ ଛାତ୍ରଙ୍କୁ ରାଗିଂ ଘଟଣା : ମାମଲାରେ ହସ୍ତକ୍ଷେପ କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

33

ନୟାଗଡ : ନୟାଗଡରେ କଲେଜ ଛାତ୍ରଙ୍କୁ ରାଗିଂ ଘଟଣାରେ ଅଭିଯୁକ୍ତ ୩ ଛାତ୍ରଙ୍କୁ ଅଟକ ରଖିଛି ଟାଉନ ଥାନା ପୋଲିସ । ଆଜି ଏମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ । ସେପଟେ ରାଗିଂ  ଅଭିଯୋଗ ପରେ ପୋଲିସ କଲେଜ ଓ ହଷ୍ଟେଲକୁ ଯାଇ କାଗଜପତ୍ର ଯାଂଚ କରିଛି । ଏହି ମାମଲାରେ  କଲେଜ କର୍ତୃପକ୍ଷଙ୍କର କିଛି ସଂପୃକ୍ତି ରହିଛି କି ନା, ସେନେଇ ମଧ୍ୟ ପୋଲିସ ଖୋଳତାଡ ଆରମ୍ଭ କରିଛି । ନୟାଗଡରେ ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରଙ୍କୁ ଅତି ଅମାନବୀୟ ଭାବେ ୩ଜଣ ସହପାଠୀ ରାଗିଂ କରିଥିବା ଅଭିଯୋଗ ଆସିଛି । ନୟାଗଡର ଏକ ଘରୋଇ ଆବାସିକ ମହାବିଦ୍ୟାଳୟର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡିତ ଛାତ୍ରଙ୍କୁ ତାଙ୍କର ୩ ଜଣ ସହପାଠୀ ବାଡେଇବା, ଚେଙ୍କଦେବା, ବସଉଠ କରାଇବା, ପାନିଆରେ ଜଙ୍ଘକୁ ଆଘାତ ଦେବା ସହ ଶରୀରର ବିଭିନ୍ନ ସ୍ଥାନକୁ କାମୁଡିବା ପରି ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ ଆହତ ଛାତ୍ର ନୟାଗଡ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ନୟାଗଡ ଟାଉନ ଥାନା ପୋଲିସ ଛାତ୍ରଙ୍କ ବାପାମାଆଙ୍କ ବୟାନ ରେକର୍ଡ କରିଛି । ତେବେ ଅଭିଯୋଗ ପଦାକୁ ଆସିବା ପରେ ସଂପୃକ୍ତ ୩ ଛାତ୍ରଙ୍କୁ କ୍ଲାସରୁ ସସପେଣ୍ଡ କରିଛନ୍ତି କଲେଜ କର୍ତୃପକ୍ଷ। ଅଭିଭାବକଙ୍କୁ ଡାକି ଘଟଣା ସଂପର୍କରେ ଅବଗତ କରାଯାଇଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଂଚଳିକ ନିର୍ଦେଶକଙ୍କ ନିର୍ଦେଶ ଆଧାରରେ ଅଭିଭାବକଙ୍କୁ ନୋଟିସ ମଧ୍ୟ କରାଯାଇଥିବା କହିଛନ୍ତି କଲେଜ କର୍ତୃପକ୍ଷ । ସେପଟେ ଏହି ମାମଲାରେ ହସ୍ତକ୍ଷେପ କରିଛି ଜିଲ୍ଲା ଶିଶୁ ସୁରକ୍ଷାବିଭାଗ । ଶିଶୁ ସୁରକ୍ଷା ଅଧିକାରୀଙ୍କ ଏକ ଦୁଇ ଜଣିଆ ଟିମ୍ ଟାଉନ ଥାନାରେ ପହଂଚି ପଚରାଉଚରା କରିଛନ୍ତି । ଉଭୟ ପୀଡିତ ଓ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରୀତିକାନ୍ତ ପଣ୍ଡା ।