ସାପ କାମୁଡା ରୋଗୀକୁ ବଂଚାଇବା ପାଇଁ ଗୁଣିଆର ଝଡାଫୁଙ୍କା : ମୃତ ଘୋଷଣା କରିଥିବା ଡାକ୍ତରଙ୍କୁ ପିଟିଲେ ରୋଗୀଙ୍କ ସଂପର୍କୀୟ

45

କନକ ବ୍ୟୁରୋ : ଡାକ୍ତରଖାନା ପରିସରରେ ପୋଲିସ ଓ ଡାକ୍ତରଙ୍କୁ ଆକ୍ରମଣ ପରେ ରାସ୍ତାରୋକ । ରୋଗୀଙ୍କ ପୋଷ୍ଟମର୍ଟମକୁ ନେଇ ଡାକ୍ତରଖାନା ପରିସରରେ ଖଣ୍ଡଯୁଦ୍ଧ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଘଟଣା । ଶରଣକୁଳ ଥାନା ଡମସାହି ଗାଁର ୧୩ ବର୍ଷର ରାକେଶ ନାୟକ ସାପକାମୁଡାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୋଷ୍ଟମର୍ଟମ ବେଳେ ପିଲାଟି ବଂଚିଥିବା କହିଥିଲେ କର୍ମଚାରୀ ।

ପରେ ପରିବାର ଲୋକ ସମ୍ପୃକ୍ତ ରୋଗୀଙ୍କୁ ସେଠାରୁ ନେଇଯିବାକୁ ଚାହିଁବାରୁ ଡାକ୍ତର ତାଙ୍କୁ ବାରଣ କରିଥିଲେ । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଅସ୍ୱୀକାର କରିବା ସହ ମୃତ ବାଳକକୁ ପରିବାର ଲୋକେ ଗୁଣିଗାରେଡି ପାଇଁ ନେଇଯିବାକୁ ବାଧ୍ୟ କରିଥିବା କହିଛନ୍ତି ଡାକ୍ତରଖାନା କର୍ତୃପକ୍ଷ ।

ଏସବୁ ଭିତରେ ସାମ୍ନାକୁ ଆସିଛି ଆଉ ଏକ ଚିତ୍ର । ଗୋଟିଏ ପଟେ ଆନ୍ଦୋଳନ, ଅନ୍ୟପଟେ ଗୁଣିଆର ପୂଜାପାଠ । ଆନ୍ଦୋଳନସ୍ଥଳ ନିକଟ ଏକ ଦୋକାନ ସାମ୍ନାରେ ପିଲାକୁ ବଂଚାଇବା ପାଇଁ ଚାଲିଥିଲା ପୂଜାପାଠ । ନିକଟସ୍ଥ ମାଙ୍କପଲ୍ଲୀ ଗାଁର ବୃନ୍ଦାବନ ମହାରଣା ମୃତ ବାଳକର ନାଁକୁ ବାରମ୍ବାର ଲେଖି ତା ଉପରେ ହଳଦି ପକାଇ ଲିଭାଉଥିଲେ । ତାଙ୍କ କହିବା ଅନୁସାରେ ଯଦି ପିଲାଟି ବଂଚିବାର ଥାନ୍ତା ତେବେ ୩ ଥର ଲେଖି ଲିଭାଇଲା ବେଳକୁ ସେ ବଂଚିଯାଇଥିନ୍ତା । ହେଲେ ପିଲାର ମୃତ୍ୟୁ ହୋଇ ସାରିଥିବାରୁ ତାକୁ ବଂଚାଇପାରି ନଥିବା କହିଛନ୍ତି ସମ୍ପୃକ୍ତ ଗୁଣିଆ ଜଣଙ୍କ ।

ସେପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଟାଉନ ଥାନା ଆଇଆଇସି । ରେଡକ୍ରସରୁ ୧୦ ହଜାର ଟଙ୍କାର ସହାୟତା ସହ ଆବେଦନ ପରେ ସାପକାମୁଡା ଜନିତ କ୍ଷତିପୁରଣ ଯୋଗାଇଦିଆଯିବାର ପ୍ରତିଶୃତି ପରେ ଆନ୍ଦୋଳନ ହଟିଥିଲା ।