ଦାନ ମାଝୀ ଷ୍ଟାଇଲ୍ ! ଅନୁକମ୍ପାର ଆଶାରେ ବଦଳିଗଲାଣି କି ଲୋକଚରିତ୍ର

36

ନୟାଗଡ : କଳାହାଣ୍ଡିରେ ଦାନ ମାଝୀଙ୍କ ଶବ ଶୋଭାଯାତ୍ରାର କରୁଣ ଦୃଶ୍ୟ ସାରା ବିଶ୍ୱରେ ଦେଶକୁ ନିନ୍ଦିତ କଲା । ଲଜ୍ଜିତ କଲା ରାଜ୍ୟ ସରକାରଙ୍କୁ । ଏହାର ମାସକ ପରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ନୟାଗଡ ସହରରେ ପୁଣି ହୋଇଛି ଶବ ଶୋଭାଯାତ୍ରା । ଏଠି ବି ଜଣେ ସ୍ୱାମୀ ଓ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହୋଇଛନ୍ତି ଜଣେ ମୃତ ମହିଳା । ମେଡିକାଲରୁ ଜିଲ୍ଲାପାଳଙ୍କ ଅଫିସ୍ ଯାଏ ଚାଲିଲା ଏହି ଶୋଭାଯାତ୍ରା । ଆଉ ଆଗରେ ପଛରେ ଥିଲା ଟିଭି ସାମ୍ବାଦିକଙ୍କ ଭିଡ । କିଛି ସମୟ ପାଇଁ ସହରବାସୀଙ୍କ ଆଖିକୁ ଫେରି ଆସିଲା କଳାହାଣ୍ଡିର ସେହି କରୁଣ ଦୃଶ୍ୟ । ପରିବାର ଲୋକେ ଅଭିଯୋଗ କଲେ ଚିକିତ୍ସା ଅବହେଳା ଓ ମହାପ୍ରୟାଣ ଗାଡି ନମିଳିବାର କଥା।

ହେଲେ ଏ ଶବ ଶୋଭାଯାତ୍ରା ସତ ଥିଲା ନା ଥିଲା ଦାନମାଝୀ ଷ୍ଟାଇଲ୍ । ରାତିର ଅନ୍ଧାର ଭିତରେ ଅଭାବୀ ଅସହାୟ ଦାନ ମାଝୀ ଅସହାୟ ହୋଇପଡିଥିଲେ। ହେଲେ ଦିନର ଆଲୋକରେ ସହର ଭିତରେ କେମିତି ଅସହାୟ ହୋଇ ପଡିଲେ ମୃତ ମହିଳାଙ୍କ ପରିବାର ଲୋକେ । ମୃତ୍ୟୁ ପରେ ଆମ୍ବୁଲାନ୍ସଟିଏ ଯୋଗାଇ ଦେବାକୁ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ କି ?

ଦାନ ମାଝୀଙ୍କ କାହାଣୀ ସତ ଥିଲା । ହେଲେ ଏଠି କିନ୍ତୁ ଅନୁକମ୍ପା ଆଶାରେ ବଜାରରେ ଭିଡ ଉପରେ ମଂଚସ୍ଥ ହୋଇଥିଲା ଶବବୁହାର ନାଟକ । ଏକଥା କହିଛି ପ୍ରାଥମିକ ତଦନ୍ତ ପରେ ନୟାଗଡ ପୁଲିସ୍ ।

ଉପାନ୍ତ ଓ ଅପହଂଚ ଅଂଚଳରୁ ଏଭଳି ଦୃଶ୍ୟକୁ ସହଜରେ ବିଶ୍ୱାସ କରି ହେବ । କାରଣ ସେଠି ପାଦେ ପାଦେ ଗରିବୀର ଚିହ୍ନ । ହେଲେ ନୟାଗଡ ଭଳି ଏକ ଶିକ୍ଷିତ ଓ ଆଗୁଆ ଜିଲ୍ଲାରୁ ଯେତେବେଳେ ଏଭଳି ଚିତ୍ର ଆସେ , ସେତେବେଳେ ପ୍ରଶ୍ନ ବି ଉଠେ । ଆଉ ଲୋକେ ପଚାରନ୍ତି ଏ କଣ ଦାନ ମାଝୀ ଷ୍ଟାଇଲ୍।