ସାଇକେଲରେ ୮୦ କିଲୋମିଟର ବୁଲି ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲାପାଳ ! ସରକାରୀ ଯୋଜନାର ବାସ୍ତବତା କଲେ ଯାଂଚ୍, ବାକିଥିବା କାର୍ଯ୍ୟ ସାରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ

74

କନକ ବ୍ୟୁରୋ: ଜିଲ୍ଲାର ସର୍ବୋଚ୍ଚ ଅଧିକାରୀ । ହାତ ପାଆନ୍ତାରେ ସବୁ ସୁବିଧା । ଯାତାୟତ ପାଇଁ ସରକାର ଦେଇଛନ୍ତି ଦାମୀ ଗାଡି । ହେଲେ ସାଇକେଲରେ ୮୦ କିଲୋମିଟର ବୁଲି ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ । ନୟାଗଡ଼ ଜିଲ୍ଲାପାଳ ସାଇକେଲର ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଗୁରୁବାର ଦିନ କାହାକୁ କିଛି ନଜଣାଇ ସାଇକେଲ ଧରି ଜିଲା ଭ୍ରମଣରେ ବାହାରିଥିଲେ । ସକାଳ ସାଢେ ୬ଟାରୁ ସାଇକେଲରେ ଯାତ୍ରା ଆରମ୍ଭ କରି ଜିଲ୍ଲାର ସମସ୍ୟା ବାବଦରେ ଲୋକଙ୍କଠାରୁ ପଚାରି ବୁଝିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ଯେ, ସାଇକେଲ ଚଳାଇ ଯାଉଛନ୍ତି ସେଥିପ୍ରତି କାହାର ନିଘା ବି ନଥିଲା । ନୟାଗଡ଼ର ଓଡଗାଁରୁ ୧୩ କିଲୋମିଟର ଶରଣକୁଳ ପହଂଚିବା ପରେ ପ୍ରଘଟ ହୋଇଥିଲା କଥା ।

ଅନ୍ୟପଟେ ସରକାରୀ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ଜାଣିବା ପାଇଁ ଏହା ଏକ ଅଭିନବ ଉପାୟ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରାୟ ୮୦ କିଲୋମିଟର ବାଟ ଅତିକ୍ରମ କରି ସରକାରୀ ଯୋଜନାର ଅବ୍ୟବସ୍ଥାର ବାସ୍ତବତା ଦେଖିଥିଲେ । ସ୍ୱଚ୍ଛ ଭାରତ ମିଶନର ବିଫଳତା ସାଙ୍ଗକୁ ପାନୀୟ ଜଳର ବ୍ୟାପକ ଦୁରୁପଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ଏହାସହ ଶରଣକୁଳ ନୟାଗଡ଼ ରାସ୍ତା ମରାମତିରେ ଅହେତୁକ ବିଳମ୍ବ ଦେଖି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ । ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ଦିନ କାହାକୁ କିଛି ନ ଜଣାଇ ପୁରା ବ୍ୟକ୍ତିଗତ ଭାବରେ ସାଇକେଲ ଧରି ଜିଲ୍ଲାପାଳ ବାହାରିଥିଲେ ଭ୍ରମଣରେ । ସକାଳ ସାଢେ ୬ ରୁ ଆରମ୍ଭ କରିଥିଲେ ଯାତ୍ରା । ୧୧ କିଲୋମିଟର ମହିପୁର ପରେ ନୂଅଗାଁ ୨୧ କିଲୋମିଟର । ସେଠାରୁ ବରକୋଳା ଦେଇ ୧୭ କିଲୋମିଟର ପରେ ବାହାଡାଝୋଲା ଆଉ ୧୨ କିଲୋମିଟର ପରେ ଓଡଗାଁ । ସାଧାରଣ ଲୋକ ଭଳି ରାସ୍ତାରେ ଚାଲିଥାଏ ତାଙ୍କ ଭ୍ରମଣ । ଜିଲ୍ଲାପାଳ ଯେ ସାଇକେଲ ଚଳାଇ ଯାଉଛନ୍ତି ସେଥିପ୍ରତି କାହାର ନିଘା ବି ନଥିଲା । କେହି ବି ଭାବୁ ନଥିଲେ ଇଏ ଜିଲ୍ଲାପାଳ ନୁହଁନ୍ତି ତ ? ଓଡଗାଁରୁ ୧୩ କିଲୋମିଟର ଶରଣକୁଳ ପହଂଚିବା ପରେ ପ୍ରଘଟ ହୋଇଥିଲା କଥା ।

ଜିଲ୍ଲାପାଳଙ୍କୁ ଚିହ୍ନିଥିବା ଜଣେ ଫଟୋଗ୍ରାଫର ରାସ୍ତାରେ ସାଇକେଲ ଚଳାଇ ଯାଉଥିବା ଦେଖିଦେଇଥିଲେ ଆଉ ନିଜ କ୍ୟାମେରାରେ ଜିଲ୍ଲାପାଳଙ୍କ ଯାତ୍ରାର ଦୃଶ୍ୟକୁ କ୍ୟାପଚର କରିଥିଲେ । ହେଲେ ଜିଲ୍ଲାପାଳ କହିଲେ ନିଜକୁ ଫିଟ ରଖିବା ପାଇଁ ଆପଣାଇଛନ୍ତି ଏଭଳି ଫଣ୍ଡା । ଆଗରୁ କିଛି ବାଟ ସାଇକେଲରେ ଯାଉଥିବା ବେଳେ ଛୁଟିଦିନ ଯୋଗୁଁ ଆପଣାଇଦେଲେ ଲମ୍ବା ରେସ୍ । ଆଉ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ଜାଣିବା ପାଇଁ ଏହା ମଧ୍ୟ ଏକ ଅଭିନବ ଉପାୟ ବୋଲି କହିଛନ୍ତି ଜିଲ୍ଲାପାଳ ।

ଦିନ ସାଢେ ଦଶଟା ବେଳକୁ ୭୬ କିଲୋମିଟର ବାଟ ଅତିକ୍ରମ କରି ନିଜ କ୍ୱାର୍ଟରରେ ପହଂଚିଥିଲେ ଜିଲ୍ଲାପାଳ । ହେଲେ ପୁରା ଗସ୍ତରେ ଦେଖିଥିଲେ କିଛି ଅବ୍ୟବସ୍ଥାର ବାସ୍ତବତା । ସ୍ୱଚ୍ଛ ଭାରତ ମିଶନର ବିଫଳତା ସାଙ୍ଗକୁ ପାନୀୟ ଜଳର ବ୍ୟାପକ ଦୁରୁପଯୋଗ । ତା ସହ ଶରଣକୁଳ ନୟାଗଡ ରାସ୍ତା ମରାମତିରେ ଅହେତୁକ ବିଳମ୍ବ । ଏସବୁ ତୃଟି ବିଚ୍ୟୁତି ଲକ୍ଷ କରିବା ପରେ ଏ ନେଇ ନେଇଛନ୍ତି ଆବଶ୍ୟକୀୟ ପଦକ୍ଷେପ । ସଂପୃକ୍ତ ବିଭାଗମାନଙ୍କୁ ଦେଇଛନ୍ତି କଡା ନିର୍ଦ୍ଦେଶ ।

ତେବେ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ କ୍ରିକେଟ ଖେଳି ନିଜକୁ ଫିଟ ରଖୁଥିବା ଜିଲ୍ଲାପାଳ ଏବେ ସାଇକେଲ ଚାଳନାକୁ ଫିଟ୍ ରହିବାର ଫଣ୍ଡା ବୋଲି କହିଛନ୍ତି । ହେଲେ ଜିଲ୍ଲାପାଳଙ୍କ ଏମିତି ଆଶ୍ଚର୍ଯ୍ୟ କଲାଭଳି ପଦକ୍ଷେପ ସରକାରୀ କର୍ମଚାରୀଙ୍କୁ ଛାନିଆ କରିଛି ।