ଜୀବନ ସଂଗ୍ରାମରେ ଗଙ୍ଗା ଯମୁନା ! ରିପୋର୍ଟକୁ ଅପେକ୍ଷା କରିଛନ୍ତି ଡାକ୍ତର

29

କନକ ବ୍ୟୁରୋ : ଜୀବନ କଣ ଜାଣିବା ପୂର୍ବରୁ ଜୀବନ ସହ ସଂଘର୍ଷ କରୁଛନ୍ତି ନୟାଗଡର ଏହି ଯାଆଁଳା ଶିଶୁ । ଛାତି ଓ ପେଟରେ ପରସ୍ପର ସହ ଯୋଡି ହୋଇଥିବା ଗଙ୍ଗା-ଯମୁନା ଏବେ ଆଇସିୟୁରେ । ସ୍ୱାଭାବିକ୍ ଠାରୁ ଟିକିଏ ପ୍ରଖର ବେଗରେ ନିଶ୍ୱାସ ନେଉଥିବା ଏହି ଦୁଇ ଶିଶୁଙ୍କ କେଉଁ କେଉଁ ଅଙ୍ଗ ଯୋଡି ହୋଇ ରହିଛି କିମ୍ବା ଗୋଟିଏ ରହିଛି ,ତାହା ହିଁ ଡାକ୍ତରଙ୍କ ପାଇଁ ସବୁଠାରୁ ବଡ ପ୍ରଶ୍ନ ।

୧ – ଯଦି ଉଭୟଙ୍କର ଦୁଇଟି ହୃଦୟ ଓ ଦୁଇଟି ଯକୃତ ଅଛି ତେବେ ଡାକ୍ତରଙ୍କ ପାଇଁ ଏହା ବଡ ସମସ୍ୟା ନୁହେଁ ।
୨ – ଯଦି ଉଭୟଙ୍କର ଗୋଟିଏ ହୃଦୟ କିମ୍ବା ଗୋଟିଏ ଯକୃତ ଥାଏ , ତେବେ ସମସ୍ୟା ହୋଇପାରେ ।
୩ – ଯଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯୋଡି ହୋଇ ନ ହୋଇ କେବଳ ଉପରର ଚମଡା ଭାଗ ଯୋଡି ହୋଇତିବା ତେବେ ସହଜରେ ଅପରେସନ କରି ଅଲଗା କରିହେବ ।

ବର୍ତ୍ତମାନ ଉଭୟଙ୍କୁ ଆଇସିୟୁରେ ରଖାଯାଇ ୧୨ ଜଣିଆ ଡାକ୍ତରୀ ଦଳ ସେମାନଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରାୟ ୧ଲକ୍ଷରେ କେବଳ ଗୋଟିଏ କ୍ଷେତ୍ରରେ ଏଭଳି ଶିଶୁ ଜନ୍ମ ନେଇଥାଆନ୍ତି । ତେଣୁ ଡାକ୍ତରଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଘଟଣା ।

ବର୍ତ୍ତମାନ ଉଭୟଙ୍କ ସିଟି-ସ୍କାନ ଓ ଅନ୍ୟାନ୍ୟ ରିପୋର୍ଟକୁ ଡାକ୍ତରମାନେ ଅପେକ୍ଷା କରିଛନ୍ତି । କାରଣ ଏସବୁ ପରୀକ୍ଷାରୁ ସେମାନଙ୍କର କେଉଁ ସବୁ ଅଙ୍ଗ ଯୋଡି ହୋଇ ରହିଛି , ତାର ସ୍ପଷ୍ଟ ସୂଚନା ମିଳିବ । ଏବଂ ଏହାରି ଆଧାରରେ ଚିକିତ୍ସା ଆରମ୍ଭ କରିବେ ଡାକ୍ତର । ଜଗା-ବଳିଆଙ୍କ ପରି ଗଙ୍ଗା-ଯମୁନାର କାହାଣୀ ଯେତିକି କୌତୁହଳର ବିଷୟ ସେତିକି ଚିନ୍ତାଦାୟକ ମଧ୍ୟ । ତେବେ ଆଶା କରାଯାଉଛି ଏଇ ବାପା-ମାଆଙ୍କ ମୁହଁରେ ହସ ଫେରାଇ ଆଣିବେ ଡାକ୍ତର ।