ନ୍ୟାୟ ପାଇବାକୁ ଲାଗିଗଲା ୯ ବର୍ଷ ! ମିଛ ମାଓବାଦୀ ସଜାଇ ଥିଲା ଓଡ଼ିଶା ପୋଲିସ୍

44

କନକ ବ୍ୟୁରୋ : ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୯ବର୍ଷ କାଳ ଜେଲର ଅନ୍ଧାର କୋଠରୀରେ ରହିବା ପରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଏହି ୪୧ ବର୍ଷୀୟ ବ୍ୟକ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି ନୟାଗଡ଼ ଜିଲ୍ଲା ଦୌରା ଜଜଙ୍କ କୋର୍ଟ । ୨୦୦୮ ଫେବ୍ରୁଆରୀ ୧୫ ତାରିଖ ନୟାଗଡ଼ ଥାନା ଆକ୍ରମଣ ଓ ଅସ୍ତ୍ରାଗାର ଲୁଟ୍ ମାମଲାରେ ଗିରଫ ୮ଜଣ ମାଓବାଦୀଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି ।

୨୦୦୮ ନୟାଗଡ଼ ଥାନା ଆକ୍ରମଣରେ ୧୩ ପୋଲିସ କର୍ମଚାରୀଙ୍କ ଜୀବନ ଯିବା ପରେ ରକ୍ତ ଚାଉଳ ଚୋବାଉଥିଲା ପୋଲିସ୍ । ଚାରିଆଡେ ଖୋଜୁଥିଲା ମାଓବାଦୀ ଓ ତାଙ୍କୁ ସହାୟତା କରିଥିବା ବ୍ୟକ୍ତିଙ୍କୁ । ଏପଟେ କାମଧନ୍ଦା ଅନ୍ୱେଷଣରେ ପଶ୍ଚିମବଙ୍ଗ ହାୱଡାରୁ ଭୁବନେଶ୍ୱର ଆସିଥିଲେ ରଞ୍ଜିତ । କିଛିଦିନ ରହିବା ପରେ ପଶ୍ଚିମବଙ୍ଗର ନୟାଚୌକ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଭୁଲ ବଶତଃ ଭୁବନେଶ୍ୱର ବସଷ୍ଟାଣ୍ଡରୁ ନୟାଗଡ଼ ବସରେ ବସିଗଲେ ଏବଂ ନୟାଗଡ଼ରେ ମାଓବାଦୀ ଆକ୍ରମଣ ପରେ ତନାଘନା ଚଳାଇଥିବା ପୋଲିସ୍ ହାତରେ ପଡିଗଲେ ରଞ୍ଜିତ । ବଙ୍ଗଳା ଛଡା ଆଉକିଛି କହିପାରୁ ନଥିବାରୁ ତାଙ୍କୁ ସନ୍ଦେହରେ ଧରି ନେଇ ଜେଲ ହାଜତରେ ପୂରାଇ ଦେଲା ନୟାଗଡ଼ ପୋଲିସ୍ ।

ହଠାତ ପୁଅକୁ ମାଓବାଦୀ କହି ପୋଲିସ ଗିରଫ କରିଦେବା ପରେ କିଛି ବୁଝି ପାରିଲେ ନାହିଁ ପରିବାର ଲୋକ । ଓଡିଶା ଆସିଲେ, ପୋଲିସକୁ ଜଣାଇବାକୁ ଚାହିଁଲେ କିନ୍ତୁ କିଛି ଫଳ ମିଳିଲା ନାହିଁ । ଆଉ ଏହିପରି ବିତିଗଲା ୯ବର୍ଷ । ତେବେ ପ୍ରଶ୍ନ ଉଠୁଛି- ୧- ନିରୀହ ରଞ୍ଜିତ ସାନାଙ୍କ ଏହି ଦୁର୍ଦ୍ଦଶା ପାଇଁ ଦାୟୀ କିଏ? ୨- ଜେଲରେ କଟାଇଥିବା ଜୀବନର ମୂଲ୍ୟବାନ ୯ବର୍ଷ କିଏ ଫେରାଇଦେବ? ୩- ବିନା ପ୍ରମାଣରେ ଜଣେ ଯୁବକଙ୍କୁ ମାଓବାଦୀ ସଜାଇ ଦିଆଗଲା କାହିଁକି? ୪- ଏଥିପାଇଁ ଆମର ବିଚାର ବ୍ୟବସ୍ଥା ଦାୟୀ ନୁହେଁ କି?