ବନ୍ଧୁକ ଛାଡି କଲମ ଧରିଲେ ମାଓବାଦୀ ! ମାଲକାନଗିରିରେ ଇଗ୍ନୋ ବି.ପି.ପି ପରୀକ୍ଷା ଦେଲେ ଆତ୍ମସମର୍ପଣ କରିଥିବା ୧୧୯ ଜଣ ନକ୍ସଲ

50

କନକ ବ୍ୟୁରୋ: ବନ୍ଧୁକ ଛାଡି କଲମ ଧରିଲେ ମାଓବାଦୀ । ଏକଦା ଲାଲ ଗଡରେ ରାଜୁତୀ କରୁ ଥିବା ମାଓବାଦୀ ଏବେ ପାଠ ପଢି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅଂଟା ଭିଡିଛନ୍ତି । ମାଲକାନଗିରିର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ୧୧୯ ଜଣ ଆତ୍ମସମର୍ପଣ କାରୀ ମାଓବାଦୀ ପରୀକ୍ଷା ଦେଉଛନ୍ତି । ସେମାନେ ସ୍ନାତକ ପାଠ୍ୟକ୍ରମ ଲାଗି ଇଗ୍ନୋ ବି.ପି.ପି ପରୀକ୍ଷା ଦେଉଛନ୍ତି । ଆଉ ଏଥିରେ ସବୁ ପ୍ରକାର ସହଯୋଗ କରୁଛି ମାଲକାନଗିରି ପୁଲିସ ।

ଆତ୍ମସମର୍ପଣ କରିଥିବା ଅଧିକାଂଶ ମାଓବାଦୀ ପଂଚମ କିମ୍ବା ସପ୍ତାମ ଯାଏଁ ପାଠ ପଢିଛନ୍ତି । ତେଣୁ ଇଗ୍ନୋର ଏକ ସ୍ୱତନ୍ତ୍ର ୬ମାସିଆ ବ୍ରିଜ କୋର୍ସ -ବ୍ୟାଚେଲର୍ସ ପ୍ରିପାରେଟରି ପ୍ରୋଗ୍ରାମରେ ନାମ ଲେଖାଇ ତାଙ୍କୁ ତାଲିମ ଦିଆ ଯାଇଥିଲା । ଏବେ ସେମାନେ ପରୀକ୍ଷା ଦେଉଛନ୍ତି । ପାଠ ପଢା ଠାରୁ ଆରମ୍ଭ କରି ବହି ବସ୍ତାନୀ ଓ ଆବଶ୍ୟକ ସ୍ଥଳେ ଏମାନଙ୍କୁ ଟ୍ୟୁସନ ମଧ୍ୟ ପଢାଇବ ମାଲକାନଗିରି ପୋଲିସ । ଅନ୍ୟପଟେ ମାଲକାନଗିରି ଆସି ମାଓ ପରିକ୍ଷାର୍ଥୀଙ୍କୁ ଭେଟିଛନ୍ତି ଇଗ୍ନୋର ଆଂଚଳିକ ନିର୍ଦେଶକ ଡ. ବି. ରାଜଗୋପାଲ । ସେମାନଙ୍କୁ ସ୍ନାତକ ପଠ୍ୟକ୍ରମ ପରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ପ୍ରକାଶଥାଉକି ଏହି ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପରେ ପୁଲିସ ପକ୍ଷରୁ ଆତ୍ମନିର୍ଭରଶୀଳ କରିବାକୁ ପଦକ୍ଷେପ ନିଆଯାଇଥିଲା। ଏସପି ଜଗମୋହନ ମୀନା ସମସ୍ତଙ୍କୁ ଶିକ୍ଷିତ କରିବାକୁ ନୂଆ ପ୍ରୟାସ ଆରମ୍ଭ କରି ଇଗ୍ନୋ ସହ ଯୋଗାଯୋଗ କରିଥିଲେ। ଏନେଇ ଏସପିଙ୍କ କହିବା ହେଲା ଆଗାମୀ ପିଢ଼ି ଓ ଜଙ୍ଗଲରେ ଘୂରି ବୁଲୁଥିବା ନକ୍ସଲଙ୍କ ପାଇଁ ଏମାନେ ସମସ୍ତେ ଉଦାହରଣ ହେବେ। ଏହି ପରୀକ୍ଷାରେ ପାସ ହେବା ପରେ ଇଗ୍ନୋରେ ସ୍ନାତକ କରିବା ବ୍ୟବସ୍ଥା କରାଯିବ। ଏହାପରେ ବି ଯଦି କେହି ଉଚ୍ଚ ଶିକ୍ଷା ହାସଲ କରିବାକୁ ଚାହିଁବେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।

ପୂର୍ବତନ ନକ୍ସଲ କମାଣ୍ଡର ସୁକଦେବଙ୍କ କହିବା ଅନୁଯାୟୀ ପୋଲିସର ଏହି ଅଭିନବ ପ୍ରୟାସ ଆମେ କେବେ ଭୁଲିବୁ ନାହିଁ। ଆମେ ଆଜି ଏସପି ଶ୍ରୀ ମୀନାଙ୍କ ସହଯୋଗ ଏବଂ ପ୍ରଚେଷ୍ଟା ଯୋଗୁଁ ଉଚ୍ଚ ଶିକ୍ଷା ଲାଭ କରିପାରିଛୁ। ଜଂଗଲରେ ରହି କେବଳ ମୁର୍ଖ ଭଳି ବ୍ୟବହାର କରୁଥିଲୁ। ସମାଜରେ କିପରି ଚଳିବା ଏବଂ ଲୋକଙ୍କୁ କିପରି ବ୍ୟବହାର ଦେଖାଇବା ଏସବୁ ଜାଣିନଥିଲୁ। ଇଗ୍ନୋ ପରିଚାଳକ ତଥା ଅଧ୍ୟାପକ ଉମେଶ ରାଉତ ନିଜ ପ୍ରଚେଷ୍ଟାରେ ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଶିକ୍ଷା ଦେବାରେ କୌଣସି ସୁଯୋଗ ହାତଛଡା କରିନାହାନ୍ତି। ସମସ୍ତଙ୍କୁ ଉଚ୍ଚ ଶିକ୍ଷା ପାଇଁ ତାଲିମ ଦେବା ସହ କିପରି ଜଣେ ଭଲ ମଣିଷ ହୋଇପାରିବେ ସନେଇ ମଧ୍ୟ ତାଲିମ ଦିଆଯାଇଛି। ଏଥିରେ ମହିଳା ଏବଂ ପୁରୁଷ ଉଭୟ ନକ୍ସଲ ରହିଛନ୍ତି। ଆତ୍ମସମର୍ପଣକରି ମୁଖ୍ୟସ୍ରୋତରେ ସାମିଲ ହୋଇ ଲୋକଙ୍କ ସହ ଜଡିତ ହେବା ପରେ ଆମକୁ ଭଲ ଲାଗୁଥିବା ଏମାନେ କହିଥିଲେ।