ପୁଣି ଦାନ୍ତେୱାଡାରେ ମାତିଲେ ମାଓବାଦୀ । ଯାତ୍ରୀଙ୍କୁ ଓହ୍ଲାଇଦେଇ ୨ଟି ବସରେ ନିଆଁ ଲଗାଇଦେଲେ ଲାଲବାହିନୀ

ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି

127

କନକ ବ୍ୟୁରୋ: ସାମ୍ବାଦିକ ହତ୍ୟାର ଏକ ସପ୍ତାହ ନପୁରୁଣୁ ଦାନ୍ତେୱାଡାରେ ପୁଣି ମାତିଲେ ମାଓବାଦୀ । ଦୁଇଟି ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ. ଗାମବାଡା ଜଙ୍ଗଲରେ ଏହି ଲଙ୍କାକାଣ୍ଡ କରିଛନ୍ତି ନକ୍ସଲ । ତେବେ ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବସରେ ସେମାନେ କାହିଁକି ନିଆଁ ଲଗାଇଲେ ତାହା ସ୍ପଷ୍ଟ ହୋଇନାହିଁ । ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପଦିନ ବାକିଥିବାବେଲେ ମାଓବାଦୀ ଏଭଳି କାଣ୍ଡ ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ନିର୍ବାନଚକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ ଏଭଳି କରୁଥିବା ସ୍ପଷ୍ଟ ହୋଇଛି । ଆଉ ଏହାକୁ ଚ୍ୟାଲେଞ୍ଜ ଦେବା ପାଇଁ ସୁରକ୍ଷାକର୍ମୀ ବି ପ୍ରସ୍ତୁତ ରହିଛନ୍ତି ।

ଛତିଶଗଡ ନକ୍ସଲ ହମଲାରରେ ୩ଜଣ ଯବାନଙ୍କ ସମେତ ଡିଡି ନ୍ୟୁଜ୍ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସହିଦ୍ ହୋଇଥିଲେ । ହେଲେ ଏହି ଆକ୍ରମଣରୁ ଅଳ୍ପକେ ବର୍ତିଯାଇଥିଲେ ଡିଡି ନ୍ୟୁଜର ରିପୋର୍ଟର ଧୀରଜ କୁମାର ଓ ଆସି ଆସିଷ୍ଟାଂଟ ଲାଇଟମ୍ୟାନ ମୋରମୁକୁତ ଶର୍ମା । ସେଦିନ କିପରି ଅଳ୍ପକେ ମରଣ ମୁହଁରୁ ବଂଚିଯାଇଥିଲେ ସେ କଥା ବଖାଣିଛନ୍ତି ଧୀରଜ । । ଗୁଳିମାଡରେ ସାଥୀ ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ପରେ ରାସ୍ତା ପାର୍ଶରେ ଥିବା ଗାଡରେ ପଡି ରହି ବଂଚାଇଥିଲେ ନିଜ ଜୀବନ । ଏହା ସହିତ କହିଛନ୍ତି କାହିଁକି ଜାଣିଶୁଣି ନକ୍ସଲ ପ୍ରଭାବିତ ଅଂଚଳକୁ ଯାଇଥିଲା ଏହି ଗଣମାଧ୍ୟମ ଟିମ୍ ।

ସେପଟେ ଛତିଶଗଡ ସୁକମା ଅଂଚଳରେ ଲଙ୍କାକାଣ୍ଡ କରିଛନ୍ତି ଲାଲବାହିନୀ । ଜଙ୍ଗଲିଆ ରାସ୍ତାରେ ତୁହାକୁ ତୁହା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇଛନ୍ତି । ଭୟଙ୍କର ଗର୍ଜନରେ ଫାଟି ପଡୁଛି ପୁରା ଜଙ୍ଗଲ । ଏହା ସହିତ ଜଙ୍ଗଲ ଭିତର ଦେଇ ଯାଇଥିବା କଲଭର୍ଟକୁ ଉଡାଇଦେଇଛନ୍ତି ମାଓବାଦୀ । ତାପରେ ମାଓବାଦୀ ଟ୍ରେନିଂ ସମୟର ଦୃଶ୍ୟ ସମ୍ମୁଖକୁ ଆସିଛି । ଏଥିରେ ବହୁ ସଂଖ୍ୟାରେ କମ୍ ବୟସର ଯୁବକ ଓ ଯୁବତୀମାନେ ବନ୍ଧୁକ ଚାଳନାର ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଛି ।

ତେବେ ଯବାନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମାଓବାଦୀଙ୍କ ଆକ୍ରମଣକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସ୍ଥାନୀୟ ବାସିନ୍ଦା । ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ମାଓବାଦୀମାନେ ବିକାଶର ବାଧକ ବୋଲି କହିଛନ୍ତି ।