ଦାନ୍ତେୱାଡା ନୀଲଭାୟା ଜଙ୍ଗଲରେ କେମିତି ଥିଲା ୪୫ ମିନିଟର ଆତଙ୍କ? ଦେଖନ୍ତୁ ସେହି ସମୟର ଭିଡିଓ

ଗୋଟିଏ ପଟେ ଫୁଟୁଥିଲା ଗୁଳି, ଅନ୍ୟପଟେ ମାଟିରେ ଶୋଇ ରହି ଭୟର ଅନୁଭୂତି ରେକର୍ଡ କରୁଥିଲେ ମୋରମୁକତ । ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟିଗଲେ

236

କନକ ବ୍ୟୁରୋ : ଛତିଶଗଡରେ ନକ୍ସଲ ହମଲାର ଲାଇଭ ଭିଡିଓ ସାମ୍ନାକୁ ଆସିଛି । କିଭଳି ଥିଲା ଦାନ୍ତେୱାଡା ନୀଲଭାୟା ଜଙ୍ଗଲରେ ୪୫ ମିନିଟି ଆତଙ୍କର ଚିତ୍ର? ନକ୍ସଲ ଗୁଳିରେ ଓଡିଆ କ୍ୟାମେରାମ୍ୟାନ ଟଳିପଡିବା ପରେ ଜୋରଦାର ହୋଇଥିଲା ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଆଉ ଜୀବନ-ମରଣର ଏହି ଘଡିସନ୍ଧି ମୁହୂର୍ତରେ ମାଟିରେ ଶୋଇରହି ପୁରା ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରୁଥିଲେ ଦୂରଦର୍ଶନର ଆସିଷ୍ଟାଂଟ ଲାଇଟମ୍ୟାନ ମୋରମୁକୁତ ଶର୍ମା । ଯିଏ ନୀଲଭାୟାକୁ କଭରେଜରେ ଯାଇଥିବା ଡିଡି ନ୍ୟୁଜ ଟିମ୍ରେ ଥିଲେ । ନକ୍ସଲ ହମଲା ସତ୍ୱେ ନିଜ ସାମ୍ବାଦିକ ଦାୟିତ୍ୱକୁ ନଭୁଲି ପୁରା ଅପରେସନର ଭିଡିଓକୁ ସୁଟ୍ କରିଥିଲେ । ଆଉ ଆତଙ୍କର ସେହି ଅନୁଭୂତିକୁ ବଖାଣିଥିଲେ ।


ଦାନ୍ତେୱାଡାର ନୀଲଭାୟା ଜଙ୍ଗଲରେ ଯେତେବେଳେ ତୁହାକୁ ତୁହା ଗୁଳି ବର୍ଷା ହେଉଥିଲା, ଠିକ ସେତିକିବେଳେ ମାଟିରେ ଶୋଇ ରହି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଜଣେ ସାମ୍ବାଦିକ ଦେଇଥିଲେ ଭିଡିଓ ମେସେଜ୍ । ଜୀବନକୁ ପାଣି ଛଡାଇ ଲାଲଗଡରେ କଭରେଜ ପାଇଁ ଯାଇଥିବା ସାମ୍ବାଦିକ ଜଣକ ଜୀବନ-ମରଣ ପରିସ୍ଥିତିରେ ବି ନିଜ ବୃତ୍ତିକୁ ଛାଡି ନାହାନ୍ତି । ଭୟ ଓ ଆତଙ୍କର ବାତାବରଣ ଭିତରେ ଭିଡିଓ ରେକର୍ଡ କରିଚାଲିଛନ୍ତି । ନିଜ ଅନୁଭୂତିକୁ ଗୋଟିଗୋଟି କରି ବଖାଣୁଛନ୍ତି । ନକ୍ସଲ ହମଲା ସମୟର ଏହି ଛାତିଥରା ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା । ବିହାର ବେଗୁସରାଇର ଲାଇଟ୍ ଆସିଷ୍ଟାଂଟ୍ ମୋରମୁକୁତ ଶର୍ମାଙ୍କ ସାମ୍ବାଦିକ ବୃତ୍ତି ପ୍ରତି ଏହି ସମର୍ପଣ ଭାବକୁ ନେଇ ଚାରିଆଡେ ପ୍ରଶଂସା ।

ମାଓବାଦୀଙ୍କ ଗଡ କୁହାଯାଉଥିବା ଏହି ଅଚଂଳରେ ଲ୍ୟାଣ୍ଡମାଇନ ବିଛାଇ ସୁରକ୍ଷାକର୍ମୀଙ୍କ ଗାଡିକୁ ବିସ୍ପୋରଣରେ ଉଡାଇ ଦେବାର ରଣନୀତି ଆପଣାଇଥାନ୍ତି ନକ୍ସଲ । ସେଥିପାଇଁ ବାଇକରେ ଯିବା ସୁରକ୍ଷିତ ବୋଲି ଧରିନେଇ ୫ଟି ବାଇକରେ ସୁରକ୍ଷାକର୍ମୀଙ୍କ ସହ ଯାଇଥିଲେ ଡିଡି ନ୍ୟୁଜର ଟିମ୍ । ହେଲେ ଅଚାନକ ଆରମ୍ଭ ହୋଇଯାଇଥିଲା ଗୁଳିମାଡ । ସକାଳ ୧୦ଟା ୨୫ ମିନିଟରେ ଆଗରେ ଥିବା ବାଇକରୁ ଟଳି ପଡିଥିଲେ ସୁରକ୍ଷାକର୍ମୀ ଓ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ । ଏସବୁ ଦେଖି ରିପୋର୍ଟର ଧୀରଜଙ୍କ ମୋଟରସାଇକେଲ ସନ୍ତୁଳନ ହରାଇଥିଲା । ଫଳରେ ସୌଭାଗ୍ୟବସତଃ ସେ ନାଳରେ ଖସି ପଡିଥିଲେ । ସୁରକ୍ଷାକର୍ମୀ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେବାସହ ଡିଡିନ୍ୟୁଜ ଟିମକୁ ମାଟିରେ ଶୋଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୪୫ ମିନିଟ ଯାଏଁ କେବଳ ଗୁଳିର ଶଦ୍ଦ ଶୁଣିବାକୁ ମିଳିଥିଲା । ମୋରମୁକୁତଙ୍କୁ ଲାଗିଥିଲା ଯେ, ପାଖାପଖି ୫୦ଟି ଗୁଳି ତାଙ୍କ ମୁଣ୍ଡ ଦେଇ ଚାଲିଥିଲା । ଏହି ଦୃଶ୍ୟ ଦେଖି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ । ତଥାପି ସବୁ ଦୃଶ୍ୟ ସେ କ୍ୟାମେରାରେ ରେକର୍ଡ କରିଥିଲେ । ଆଉ ଏହି ଭିଡିଓ କରିବା ସମୟରେ ମା’ଙ୍କୁ ବହୁତ ଭଲପାଉଛନ୍ତି ବୋଲି କହିଥିଲେ ମୋରମୁକୁତ ।

ମଙ୍ଗଳବାର ଏହି ଭୟାବହ ଓ ଦୁଃଖଦ ଘଟଣାର ଦୃଶ୍ୟକୁ ନିଜ ଆଖିରେ ଦେଖିଛନ୍ତି ୩୭ ବର୍ଷିୟ ସାମ୍ବାଦିକ ମୋରମୁକୁତ ଶର୍ମା । ନକ୍ସର ଉପଦ୍ରୁତ ନୀଲଭାୟା ଗାଁ ସମେଲିର ସିଆରପିଏଫ କ୍ୟାମ୍ପରୁ ପାଖାପଖି ୫ କିଲୋମିଟର ଦୂରର ଥିଲା । ସଂପୃକ୍ତ ଅଂଚଳରେ ନୂଆକରି ହୋଇଥିବା ମତଦାନ କେନ୍ଦ୍ରର କଭରେଜ ପାଇଁ ଯୋଜନା କରୁଥିଲେ ଦୂରଦର୍ଶନର ଏହି ତିନି ଜଣିଆ ଟିମ୍ । ଯେଉଁଠାରେ ୧୯୯୮ରୁ ଏଯାବତ ଲୋକମାନେ ଭୋଟ୍ ଦେଇନଥିଲେ । ହେଲେ ଦୁଃଖ ଓ ଆତଙ୍କର ଯେଉଁ ଅନୁଭୂତି ନେଇ ମୋରମୁକୁତ ସେଠାରୁ ଫେରିଲେ ତାହା ସାରାଜୀବନ ତାଙ୍କର ମନେ ରହିବ । ଆଉ ତାଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ସାରାଦେଶରେ ଚର୍ଚ୍ଚା ହେଉଥିବ ।