ଆବୁଧାବି ଦେଇ ପାକିସ୍ତାନ ଫେରୁଛନ୍ତି ନୱାଜ୍ ସରିଫ୍ : ପୂର୍ବ ପାକ୍ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଲାହୋରରେ ପ୍ରସ୍ତୁତି ଜୋରଦାର

32

କନକ ବ୍ୟୁରୋ : ପାକିସ୍ତାନ ଫେରୁଛନ୍ତି ନୱାଜ୍ ସରିଫ । ଲଣ୍ଡନରୁ ଆବୁଧାବି ଦେଇ ସରିଫ୍ ପାକିସ୍ତାନ ଅଭିମୁଖେ ଯାତ୍ରାରମ୍ଭ କରିଥିବା ବେଳେ ତାଙ୍କୁ ଲାହୋରରେ ଗିରଫ କରାଯିବା କୁହାଯାଉଛି । ସରିଫ ନିଜ କ୍ୟାନସରଗ୍ରସ୍ଥ ପତ୍ନୀଙ୍କୁ ଲଣ୍ଡନରେ ଛାଡ଼ି ପାକିସ୍ତାନ ଆସୁଛନ୍ତି । ଏଥିପାଇଁ ଲାହୋରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ସରିଫ ଓ ତାଙ୍କ ଝିଅ ମରିୟମ୍ ଲଣ୍ଡନ ପହଁଚିବେ ।

source : google.co.in

ଦୁର୍ନୀତି ମାମଲାରେ ପୂର୍ବରୁ ପାକିସ୍ତାନ ସୁପ୍ରିମକୋର୍ଟ ନୱାଜ ସରିଫଙ୍କୁ ୧୦ ବର୍ଷ ଓ ମରିୟମଙ୍କୁ ୭ ବର୍ଷର ସଜା ଶୁଣାଇଥିଲେ । ଜୁଲାଇ ୨୫ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହି କାରଣରୁ ସରିଫଙ୍କ ପାକିସ୍ତାନ ଫେରିବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ସେପଟେ ସରିଫ ଫେରୁଥିବା ଯୋଗୁ ୧୦ ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷାକର୍ମୀ ଲାହୋରକୁ ପୁଲିସ ଛାଉଣିରେ ପରିଣତ କରିଛନ୍ତି । ସେହିପରି ଅନେକ ରାସ୍ତାକୁ ସିଲ ମଧ୍ୟ କରାଯାଇଛି । ସରିଫ ଲାହୋରରେ ଗିରଫ ହେବା ସମ୍ଭାବନା ଅଧିକ ଥିବା କୁହା ଯାଉଛି । ଅନ୍ୟପଟେ ସରିଫ ସେନା ଷଢ଼ଯନ୍ତ୍ର କରିଥିବା ବାରମ୍ବାର କହିଆସିଛନ୍ତି ।

ସେପଟେ ନୱାଜ୍ ସରିଫଙ୍କ ଦୁଇ ନାତିଙ୍କୁ ଗିରଫ କଲା ଲଣ୍ଡନ ପୁଲିସ୍ । ସରିଫ ପରିବାର ବିରୁଦ୍ଧରେ ପ୍ରଦର୍ଶନକାରୀଙ୍କ ସହ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ସରିଫଙ୍କ ନାତି ଜୁନୈଦ ସଫଦାର୍ ଓ ହୁସୈନ ନୱାଜଙ୍କୁ ପୁଲିସ ଗିରଫ କରିଛି । ବିକ୍ଷୋଭକାରୀ ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ବିରୁଦ୍ଧରେ ନାରାବାଜି କରୁଥିଲେ । ଲଣ୍ଡନରୁ ପାକିସ୍ତାନ ଅଭିମୁଖେ ସରିଫ ଯାତ୍ରାରମ୍ଭ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ପୂର୍ବରୁ ମଧ୍ୟ ସରିଫଙ୍କ ଲଣ୍ଡନ ଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।