ଆଜି କୋର୍ଟରେ ହାଜର ହେବେ ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ : ଓକିଲ କହିଲେ, ରାୟକୁ ଅସିଦ୍ଧ ପାଇଁ କରିବେ ନିବେଦନ

37

କନକ ବ୍ୟୁରୋ: ଦୁର୍ନୀତି ମାମଲାରେ ୧୦ ବର୍ଷ ଜେଲଦଣ୍ଡାଦେଶ ପାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆଜି ରାୟ ବିରୋଧରେ ଇସଲାମାବାଦ ହାଇକୋର୍ଟରେ ଅପିଲ କରିବେ । ଏହା ପରେ ବେଲ ପାଇଁ ମଧ୍ୟ ଅବେଦନ କରିବେ । ନୱାଜ୍ ସରିଫଙ୍କ ଆଇନ ପରାମର୍ଶଦାତା ଟିମ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ରାୟକୁ ଅମାନ୍ୟ କରିବା ନେଇ ହାଇକୋର୍ଟରେ ଅପିଲ କରିବା ସହ ବେଲ ପାଇଁ ଆବେଦନ କରିବେ ।

ସେହିପରି ଏହି ମାମଲାରେ ଛନ୍ଦି ହୋଇଥିବା ନୱାଜ ସରିଫଙ୍କ ଝିଅ ମରିୟମ୍ ସରିଫ ଏବଂ ଜ୍ୱାଇଁ ମହମ୍ମଦ ସଫଦାରଙ୍କ ପାଇଁ ବି ବେଲ ଆବେଦନ କରାଯିବ ବୋଲି କୁହଯାଇଛି । ନୱାଜ ସରିଫ ରାୱଲପିଣ୍ଡିି ଆଦିଆଲା ଜେଲରେ ଥିବାବେଳେ ତାଙ୍କ କଏଦୀ ନମ୍ବର ରହିଛି ୩୪୨୧ ।

ସରିଫଙ୍କ ପୁଅଙ୍କ ଅଭିଯୋଗ

ଦୁର୍ନୀତି ମାମଲାରେ ଶୁକ୍ରବାର ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଏବଂ ତାଙ୍କ ଝିଅ ମରିୟମଙ୍କୁ ରାଓ୍ଵଲପିଣ୍ଡିର ଆଦିଆଲା ଜେଲ୍‌ରେ ରଖାଯାଇଛି। ଜେଲ୍‌ରେ ଉଭୟଙ୍କୁ ‘ବି ଶ୍ରେଣୀ’ ସୁବିଧା ମିଳିଛି। ଏ ଏବଂ ବି ଶ୍ରେଣୀ ସେଲ୍‌ରେ ଖଟ, ଚେୟାର, ଟି ଟେବୁଲ ଏବଂ ଆବଶ୍ୟକ ଆଲୋକ ବ୍ୟବସ୍ଥା ଉପଲବ୍ଧ ଥିବା କୁହାଯାଉଛି। କିନ୍ତୁ ସରିଫ୍‌ଙ୍କ ପୁଅ ହୁସେନ୍‌ ନଓ୍ଵାଜ୍‌ ସରିଫ୍‌ ଆଜି ଏହାର ବିପରୀତ ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାପା ସରିଫ୍‌ ଯେଉଁ କାରାଗାରରେ ଅଛନ୍ତି, ତାହା ଅତ୍ୟନ୍ତ ଅପରିଷ୍କାର। ଲାଗୁଛି ଯେମିତି ବର୍ଷ ବର୍ଷ ଧରି ତାହାକୁ ସଫା କରାଯାଇ ନାହିଁ। ଅନ୍ୟପକ୍ଷରେ ଶୋଇବାକୁ ବେଡ୍‌ ଦିଆଯାଇ ନାହିଁ କି ଗାଧୋଇବା ପାଇଁ ବାଥ୍‌ରୁମ୍‌ ଦିଆଯାଇ ନାହିଁ। ଜଣେ ଜନ ପ୍ରତିନିଧି ହିସାବରେ ନ ହେଉ ପଛେ ଜଣେ ସାଧାରଣ ଲୋକ ଭାବେ ଏଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବା କଥା। କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ଏଭଳି କିଛି ବ୍ୟବସ୍ଥା କରିନାହାନ୍ତି। ଏହାଦ୍ୱାରା ମୋ ବାପାଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ହୁସେନ୍‌ ଦର୍ଶାଇଛନ୍ତି।