ପୁରାଣ ଓ ପରମ୍ପରାରେ ମା’ ଜଗତଜନନୀ ! ଜଣେ ମା’ ନଅଟି ରୂପ

59

ଆଜି ହେଉଛି ଷଷ୍ଠୀ । ପବିତ୍ର ନବରାତ୍ରୀର ଷଷ୍ଠ ଦିନ । ନଅଦିନ ବ୍ୟାପି ହେଉଥିବା ଏହି ପୁଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା  । ତେବେ ଷଷ୍ଠ ଦିନରେ ଅର୍ଥାତ୍  ଆଜି ମା’ କାତ୍ୟାୟନୀଙ୍କ ପୂଜା କରିଯାଏ  ।

କାହିଁକି ଦେବୀଙ୍କ ଏହି ରୂପର ନାଁ କାତ୍ୟାୟନୀ :

ପୁରାଣ ଅନୁସାରେ କତ୍ ନାମକ ଜଣେ ମହର୍ଷି ଥିଲେ ଏବଂ ତାଙ୍କ ପୁତ୍ରଙ୍କ ନାଁ ଥିଲା ଋଷି କାତ୍ୟ  । ଆଉ କାତ୍ୟଙ୍କ ଗୋତ୍ରରୁ ବିଶ୍ୱପ୍ରସିଦ୍ଧ କାତ୍ୟାୟନ ଜନ୍ମ ନେଇଥିଲେ  । କାତ୍ୟାୟନ ଦୀର୍ଘ ବର୍ଷ ଧରି କଠିନ ତପସ୍ୟା କରି ଭଗବତୀଙ୍କ ଉପାସନା କରିଥିଲେ । ତାଙ୍କର ଇଚ୍ଛା ଥିଲା ମା’ ଭଗବତୀ ଝିଅ ହୋଇ ତାଙ୍କ ଘରେ ଜନ୍ମ ନିଅନ୍ତୁ ବୋଲି  । ମା’ ତାଙ୍କ ପ୍ରାର୍ଥନା ସ୍ୱୀକାର କରି କାତ୍ୟାୟନଙ୍କ ଘରେ ଝିଅ ହୋଇ ଜନ୍ମ ନେଲେ  । ଏବଂ ତାଙ୍କ ନାଁ ରହିଲା କାତ୍ୟାୟନୀ  । ସେହିପରି ମା’ ନବରାତ୍ରୀର ଅନ୍ୟ ଦିନ ମାନଙ୍କରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦେଇଥାନ୍ତି  ଦର୍ଶନ ।

ଶୈଳପୁତ୍ରୀ : ଆଦିଶକ୍ତିର ପ୍ରଥମ ସ୍ଵରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ । ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ଵାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି ।

ବ୍ରହ୍ମଚାରିଣୀ : ବ୍ରହ୍ମଚାରିଣୀ ସ୍ଵରୂପରେ ନବରାତ୍ରର ଦ୍ଵିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି । ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।

ଚିତ୍ରଘଣ୍ଟା : ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବାଘ / ସିଂହ ଉପରେ ବିରାଜମାନ କରିଥାନ୍ତି । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ଏହି ମୁଦ୍ରା ହେଉଛି ଯୁଦ୍ଧାଭିମୁଖୀ ମୁଦ୍ରା ।

କୁଷ୍ମାଣ୍ଡା : ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି ।

ସ୍କନ୍ଦମାତା : ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ସ୍କନ୍ଦମାତା ରୂପରେ ଉପାସନା କରାଯାଏ । କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ ହୋଇ ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି ।

କାତ୍ୟାୟନୀ : ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ । ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ । ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ । ତେଣୁ ବିବାହ ହୋଇପାରୁନଥିବା ଝିଅ ମାନେ ଏହି ପୂଜା କରିଥାନ୍ତି

କାଳରାତ୍ରୀ : ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ଵରୂପରେ ଉପାସନା କରାଯାଏ । ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍ଗ ଧାରଣ କରିଥାନ୍ତି ।

ମହାଗୌରୀ : ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ଵେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି ।

ସିଦ୍ଧିଦାତ୍ରୀ : ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ଵରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ ।

Comments are closed.