ଆଗକୁ ଅସହଯୋଗ ଆନ୍ଦୋଳନ! ଜଗତସିଂହପୁରରେ ନବନିର୍ମାଣ କୃଷକ ସଂଘର ସଙ୍କଳ୍ପ ଦିବସ

119

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନର ଚାଷୀଙ୍କ ଅଧିକାରୀ ପାଇଁ କରିଥିବା ଯାତ୍ରାର ଆଜି ହୋଇଛି ଉଦଯାପନ । ଚାଷୀ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଂଗଠନ ପାଳନ କରିଛି ସଂକଳ୍ପ ଦିବସ । ଜଗତସିଂହପୁରରେ ଆୟୋଜିତ ଏହି ସଂକଳ୍ପ ଦିବସରେ ସାମିଲ ହୋଇଛନ୍ତି ଶହ ଶହ ଚାଷୀ । ଗତ ୨୯ ଦିନରେ ସାରା ଓଡିଶାର ଚାଷୀଙ୍କୁ ଏକାଠି କରିବା ପାଇଁ ସଂଗଠନ କରିଥିଲା ଏହି ଯାତ୍ରା ।

ଗତ ଡିସେମ୍ବର ୧୪ ତାରିଖରେ ଭୁବନେଶ୍ୱରରେ ବିଶାଳ କୃଷକ ସମାବେଶ ପାଇଁ ଚାଷୀ ଏକାଠି ହେଉଥିବା ବେଳେ ତାହାକୁ ଭଣ୍ଡୁର କରିଥିଲେ ସରକାର । ସମାବେଶ ପୂର୍ବରୁ କୃଷକ ନେତାଙ୍କୁ ଗିରଫ କରିବା ସହ ଭୁବନେଶ୍ୱର ଆସୁଥିବା ଚାଷୀଙ୍କ ଉପରେ ଜୁଲୁମ୍ ବି କରିଥିଲେ । ଏହାର ପ୍ରତିବାଦ କରିବା ସହ ଚାଷୀଙ୍କୁ ସେମାନଙ୍କ ଅଧିକାର ଜଣାଇବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ଜାନୁଆରୀ ୩ ତାରିଖରୁ ଯାଜପୁରରୁ ଆରମ୍ଭ କରିଥିଲା କୃଷକ ଅଧିକାର ଯାତ୍ରା । ସାରା ରାଜ୍ୟ ବୁଲିବା ପରେ ଏହାର ସମାପନ ଉତ୍ସବ ଜଗତସିଂହପୁର ଠାରେ ହୋଇଛି ।

ଏହି ସଭା କରିବା ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ସର୍ତ ରଖିବା ସହ ସରକାର ବିରୋଧରେ ସ୍ୱର ନଉଠାଇବାରୁ ଚେତାବନୀ ଦେଇଥିଲା । ଏପରି କି ରାଜନୈତିକ ଦଳ ସହ ସଂପୃକ୍ତ ବ୍ୟକ୍ତିଙ୍କୁ ସାମିଲ ନକରିବାକୁ ମଧ୍ୟ କୁହାଯାଇଥିଲା । ଚାଷୀଙ୍କ ସଭାକୁ ନେଇ ଏଭଳି ସର୍ତ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।