ହକ୍ ପାଇଁ ହୁଙ୍କାର ! ଯାଜପୁର, ଢେଙ୍କାନାଳ ପରେ ଆଜିି ନୟାଗଡରେ ଜୟ କିଶାନ ସମାବେଶ, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଗର୍ଜିବେ ଚାଷୀ

34

କନକ ବ୍ୟୁରୋ: ହକ୍ ପାଇଁ ହୁଙ୍କାର । ଆଜି ପୁଣି ରାଜ ରାସ୍ତାରେ ଗର୍ଜିବେ ଚାଷୀ । ଯାଜପୁର, ଢେଙ୍କାନାଳ ପରେ ଆଜି ନୟାଗଡରେ ଆୟୋଜିତ ହେବ ଜୟ କିଷାନ ସମାବେଶ । ଏହି ସମାବେଶରେ ରାଜ୍ୟର ହଜାର ହଜାର ସଂଖ୍ୟାରେ ଚାଷୀ ଏକାଠି ହୋଇ ହକ୍ ପାଇଁ ଦାବି କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଚାଷୀ ଏହି ସମାବେଶ କରୁଛନ୍ତି ।

ନଭେମ୍ବର ୨୩ ତାରିଖରେ ଜଗତସିଂହପୁରରେ ଚାଷୀ ସମାବେଶ ହୋଇଥିଲା । ଗତ ୧୧ ତାରିଖରେ ସଂଗଠନର ଯୁବ ଛାତ୍ର ସଂଗଠନ ଭୁବନେଶ୍ୱରରେ ସମାବେଶ କରିଥିଲେ । ୧୯ ତାରିଖରେ ଯାଜପୁରରେ ଏକାଠି ହୋଇଥିଲେ ଚାଷୀ । ଆଉ ଏହାର ଠିକ୍ ୧୦ ଦିନ ପରେ ଢେଙ୍କାନାଳରେ ଏକ ବିରାଟ ଚାଷୀ ସମାବେଶ ହୋଇଥିଲା । ଏହି ସମାବେଶରେ ଚାଷୀଙ୍କୁ କେହି କିଣି ପାରିବେ ନାହିଁ, ବରଂ ମନ ଜିଣିବାକୁ ପଡିବ ବୋଲି ଉପଦେଷ୍ଟା ସୌମ୍ୟରଂଜନ କହିଥିଲେ ।

ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ହକ୍ ଦେବାକୁ ପଡିବ ବୋଲି କୃଷକ ସଂଗଠନ ଜୋର ଦେଇଛି । ସେପଟେ ଆସନ୍ତା ମାର୍ଚ୍ଚ ୧୨ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପିଛା ୨୯୩୦ ଟଙ୍କା ନକଲେ ପରିସ୍ଥିତି ବୟାବହ ହେବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ।