ପଂଜାବ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହ : ନବଜୋତ୍ ସିଂହ ସିଦ୍ଧୁଙ୍କୁ ମିଳିଲା କ୍ୟାବିନେଟ ମନ୍ତ୍ରୀ ପଦ

22

କନକ ବ୍ୟୁରୋ : ପଂଜାବ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପରେ ତୃତୀୟ ସ୍ଥାନରେ ଶପଥ ଗ୍ରହଣ କରିଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ । ବିଜେପି ଛାଡି କଂଗ୍ରେସ ଆସିଥିବା ସିଦ୍ଧୁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ସିଦ୍ଧୁ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଆଜି ଅବସାନ ଘଟିଛି । କୁହାଯାଉଛି ସିଦ୍ଧୁଙ୍କ ଉପମୁଖ୍ୟମନ୍ତ୍ରୀ କରିବାକୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଆଦୌ ଚାହୁଁ ନାହାଁନ୍ତି । ହେଲେ ସିଦ୍ଧୁ ଉପମୁଖ୍ୟମନ୍ତ୍ରୀ ହେବା ନେଇ କଂଗ୍ରେସ ହାଇକମାଣ୍ଡଙ୍କ କୌଣସି ଆପତି ନାହିଁ ।

ପଂଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ସିଦ୍ଧୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଉପମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ ସିଦ୍ଧୁଙ୍କୁ କଂଗ୍ରେସରୁ ମଧ୍ୟ ବଡ ଝଟକା ମିଳିବ ବୋଲି କୁହାଯାଉଛି । କାରଣ ଠିକ୍ ବିଧାନସଭା ନିର୍ବାଚନ ଆଗରୁ ପ୍ରଥମେ ରାଜ୍ୟସଭା ଓ ପରେ ବିଜେପିରୁ ଇସ୍ତଫା ଦେଇଥିଲେ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜକୁ ଦାବିଦାର ଭାବେ ଉପସ୍ଥାପିତ କରିଥିବା ସିଦ୍ଧୁ ଆପରେ ସାମିଲ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ଶେଷରେ କଂଗ୍ରେସର ହାତ ଧରିଥିବା ସିଦ୍ଧୁ ଆଜି କ୍ୟାପ୍ଟେନ ଅମରିନ୍ଦରଙ୍କ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।