ନିର୍ବାଚନୀ କୁରୁକ୍ଷେତ୍ର ସାଜିବ ତୁଳସୀକ୍ଷେତ୍ର! ଜିତିବା ପାଇଁ ନବୀନଙ୍କ ସ୍ୱତନ୍ତ୍ର ରଣନୀତି, ସମ୍ମାନର ଲଢେଇ ପାଇଁ ସାରଥୀ ଭାବେ ଉଭା ହୋଇଛନ୍ତି ବିଜେଡି ସୁପ୍ରିମୋ
କନକ ବ୍ୟୁରୋ : ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ଗୁରୁତ୍ୱ ରହି ଆସିଥିବା ବେଳେ ଏବେ ନିର୍ବାଚନ ପୂର୍ବରୁ ୩ ଦଳର ଫୋକସରେ ରହିଛି ଏହି ଜିଲ୍ଲା । ତେବେ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଶାସକ ବିଜେଡି । ଆଉ ଖାସ୍ ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡାକୁ ମାରାଥନ ଗସ୍ତ କରିବାକୁ ମନ ବଳାଇଛନ୍ତି । ଗତ ୧୫ ତାରିଖରେ ନବୀନ କେନ୍ଦ୍ରାପଡାରେ କାଳିଆ ସମାବେଶରେ ଯୋଗ ଦେବା ସହ ଜିଲ୍ଳାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିଲେ । ତେବେ ଏହାର ଦିନ କେଇଟା ନ ବିତୁଣୁ ଆଗାମୀ ୧୦ ତାରିଖରେ ପୁଣି ଥରେ ନବୀନ କେନ୍ଦ୍ରାପଡା ଗସ୍ତ କରିବେ ବୋଲି ଜଣାପଡିଛି । ପୂର୍ବ ଗସ୍ତ ସମୟରେ ଚାଷୀଙ୍କୁ ଖୁସି କରିଥିବା ନବୀନ ଚଳିତଥର ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ପୂର୍ବରୁ ସରକାରୀ ସମାବେଶ ପାଇଁ ନବୀନ ରାଜ୍ୟର ସମସ୍ତ ଜିଲ୍ଲାକୁ ପ୍ରାୟ ଥରେ ଲେଖାଏଁ ଗସ୍ତ କରୁଥିବା ବେଳେ କେନ୍ଦ୍ରାପଡାକୁ ଦୁଇଥର ଗସ୍ତ କରିବାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ । ଗୋଟିଏ ମାସ ମଧ୍ୟରେ ନବୀନ ଦୁଇଥର କେନ୍ଦ୍ରାପଡା ଗସ୍ତରେ ଆସୁଥିବା ବେଳେ ଏହା ଭିନ୍ନ ସଂକେତ ଦେଉଛି । ଚର୍ଚ୍ଚା ହେଉଛି, ଉଭୟ କାଳିଆ ଓ ମିଶନ ଶକ୍ତି ମାଧ୍ୟମରେ ଚାଷୀ ଓ ମହିଳାଙ୍କ ଭୋଟବ୍ୟାଙ୍କ ଉପରେ ବିଜେଡି ନଜର ପକାଇଛି । ଏହାଛଡା ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡା ଆସନ ବିଜେଡି ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । ତେଣୁ ଏହି କେନ୍ଦ୍ରାପଡାରେ ବିଜୟ ବାନା ଉଡାଇବାକୁ ଜୋର ଲଗାଇଛି ବିଜେଡି ।
କାରଣ ପୂର୍ବରୁ ଅଣକଂଗ୍ରେସ ଓ ଅଣବିଜେପି ଗଡର ଟ୍ୟାଗ୍ ହାସଲ କରିଥିବା କେନ୍ଦ୍ରାପଡାକୁ ଦୀର୍ଘ ୧୯ ବର୍ଷ ଧରି ବିଜେଡି ଅକ୍ତିଆର କରି ରଖି ଆସିଛି । ତେବେ ଗତ ଏକ ଦଶନ୍ଧି ଧରି ବିଜେଡିର ସିପାହୀ ହୋଇ ଗଡ ସମ୍ଭାଳିଥିବା ବୈଜୟନ୍ତ ନିର୍ବାଚନ ପୂର୍ବରୁ ବିଜେପି ଶିବିରରେ ଏଣ୍ଟ୍ରି ମାରିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡା ଗଡକୁ ରକ୍ଷା କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଖାସକରି ନବୀନ ବ୍ରାଣ୍ଡ ଓ ବିଜୁ ବାବୁଙ୍କ ନାଁରେ ଥିବା ଭୋଟ ଯେପରି ଅନ୍ୟ ଶିବିରକୁ ନ ଯାଏ ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଯାହାର ଝଲକ ନବୀନଙ୍କ କେନ୍ଦ୍ରାପଡା ଗସ୍ତ ସଂକେତ ଦେଉଛି ।
ନିର୍ବାଚନ ପୂର୍ବରୁ ନବୀନଙ୍କ ଲଗାତାର କେନ୍ଦ୍ରାପଡା ଗସ୍ତ ବିରୋଧୀ ଶିବିରକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଜୋଶ ଭରିଛି । ତେବେ ନବୀନଙ୍କ ଆସନ୍ତା ୧୦ ତାରିଖ ଗସ୍ତ ପୂର୍ବ ଗସ୍ତ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହେଉଛି । କାରଣ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜିଲ୍ଲାବାସୀଙ୍କୁ ଖୁସି କରିବାକୁ ବଡ ପ୍ୟାକେଜର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ଚାଷୀ, ମହିଳାଙ୍କ ସମେତ ପୂରା ଜିଲ୍ଲାରେ ବିଜେଡି ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିପାରିବ ।