ବାତ୍ୟା ପ୍ରଭାବିତ ଅଞ୍ଚଳ ଭଞ୍ଜନଗର ଓ ବାରଘର ନିଜେ ଯିବେ ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ସହ କଥା ହେବେ, କ୍ଷୟକ୍ଷତିର ସମୀକ୍ଷା କରିବେ

77

କନକ ବ୍ୟୁରୋ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ନବୀନ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଓ ଭଞ୍ଜନଗର ଯାଇ ଲୋକଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି। ଭଞ୍ଜନଗରରେ ମୁଖ୍ୟମନ୍ତ୍ରୀ ନବୀନ ବିଗତ ଦିନରେ ଦେଖାଯାଇଥିବା ଭୟଙ୍କର ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଆକଳନ ସଂପର୍କୀତ ସମୀକ୍ଷା କରିବେ ଓ ବାରଘରରେ ଲୋକଙ୍କ ସମସ୍ୟା ପଚାରି ବୁଝିବାର କାର୍ଯ୍ୟକ୍ରମ ରହିଛି ।

ନବୀନଙ୍କ ଗସ୍ତ ପୂର୍ବରୁ ତିତଲି ମୃତ୍ୟୁକୁ ନେଇ ବିବାଦ ମଧ୍ୟରେ ଆଜି ସରକାର ସ୍ପଷ୍ଟ କରିଛନ୍ତି, ବାତ୍ୟା ତିତଲି ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୬ ଜଣ ପ୍ରାଣ ହରାଇଛନ୍ତି । କେବଳ ଗଜପତି ଜିଲ୍ଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ମୃତ୍ୟୁ ଖବର ଆସିଲେ ସଂପୃକ୍ତ ଜିଲ୍ଲାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉଛି । ବାତ୍ୟା ଓ ପରବର୍ତୀ ବନ୍ୟାରେ ୫୭ ଲକ୍ଷ ପ୍ରଭାବିତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

ଏସଆରସି କହିିଛନ୍ତି, ୧୬ଟି ଜିଲ୍ଲାର ୧୪୪ଟି ବ୍ଲକ୍ରେ ୫୭ ଲକ୍ଷ ଲୋକଙ୍କ ଉପରେ ତିତଲିର ପ୍ରଭାବ ପଡିଛି । ଗଜପତି, ଗଞ୍ଜାମ, ରାୟଗଡା ଓ କନ୍ଧମାଳର ରାସ୍ତାଘାଟ ଅଧିକ ପ୍ରଭାବିତ ହୋଇଛି । ୧ ଲକ୍ଷ ୪୮ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି । କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ପହଂଚିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।