କିଛି କହିଲେ, କିଛି ଲୁଚାଇଲେ ! ଅନାସ୍ଥା ପ୍ରସ୍ତାବ ନେଇ ମୁହଁ ଖୋଲିଲେ ନବୀନ

33

କନକ ବ୍ୟୁରୋ : ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚା ଜୋର ଧରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଉଭୟ ୟୁପିଏ ଓ ଏନଡିଏ ସରକାର, ଓଡିଶାକୁ ଅବହେଳା କରିଛନ୍ତି । ଏବଂ ଏହି ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗରେ ଉଭୟ ଓଡିଶାର ଦାବିକୁ ଅଣଦେଖା କରିଛନ୍ତି । ନବୀନଙ୍କ ଏହି ମନ୍ତବ୍ୟ ପରେ ବିଶ୍ୱାସ ଭୋଟ୍ ବେଳେ କଂଗ୍ରେସ ଓ ବିଜେପି ଠାରୁ ଦଳ ସମଦୂରତ୍ୱ ଅବଲମ୍ବନ କରିପାରେ ବୋଲି ଚର୍ଚା ହେଉଛି ।

ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେଲେ କଣ ରହିବ ବିଜେଡି ସାଂସଦଙ୍କ ଆଭିମୁଖ୍ୟ? ଏହାକୁ ନେଇ ଚର୍ଚ୍ଚା ଭିତରେ ଆସ୍ଥା ଭୋଟ୍ ଆଗରୁ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଛନ୍ତି, ଉଭୟ ୟୁପିଏ ଓ ଏନଡିଏ ଓଡିଶାକୁ ଅବହେଳା କରିଆସିଥିବାରୁ ଲୋକସଭାରେ ଆଭିମୁଖ୍ୟ ସ୍ପଷ୍ଟ କରିବ ବିଜେଡି ।

ମୁଖ୍ୟମନ୍ତ୍ରୀ କହୁଛନ୍ତି ଉଭୟ କଂଗ୍ରେସ ଓ ବିଜେପିର ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡିଶାକୁ ଅବହେଳା କରିଛନ୍ତି । ବିଶେଷ ଭାବରେ ଏବେ ଯେଉଁ ଦାବି ନେଇ ଆନ୍ଧ୍ରର ଦୁଇ ପ୍ରତିଦ୍ୱନ୍ଦି ହାଜନୈତିକ ଦଳ ଅନାସ୍ଥା ଆଗତ କରିଛନ୍ତି ଓଡିଶାର ସେହି ଦାବିକୁ ଶୁଣି ନାହାନ୍ତି ଉଭୟ ୟୁପିଏ ଓ ଏନଡିଏ । ନବୀନଙ୍କ ଏହି ମନ୍ତବ୍ୟକୁ ଯଦି ଏକ ସଂକେତ ଭାବରେ ଅନୁଶୀଳନ କରାଯାଏ ତେବେ ନବୀନ ଉଭୟ ୟୁପିଏ ଓ ଏନଡିଏକୁ ଗୋଟିଏ ମାପଦଣ୍ଡରେ ତଉଲୁଥିବା କଥା ସମ୍ନାକୁ ଆସୁଛି । ଯଦି ଏହି ଆକଳନ ଠିକହୁଏ ତେବେ ବିଜେଡି ଏହି ବିଶ୍ୱସ ଭୋଟରୁ ଦୂରେଇ ରହିପାରେ ।

ସଂଖ୍ୟା ଦୃଷ୍ଟିରୁ ବେଶ ସହଜ ସ୍ଥିତିରେ ଥିବା ବିଜେପି ସରକାରଙ୍କ ପାଇଁ ଆସ୍ଥା ପରୀକ୍ଷାରେ ପାସ କରିବାରେ ସମସ୍ୟା ହେବନାହିଁ । କାରଣ ବାଚସ୍ପତିଙ୍କୁ ବାଦଦେଇ ଲୋକସଭାର ମୋଟ ସଭ୍ୟ ସଂଖ୍ୟା ୫୩୯ । ଆସ୍ଥା ଭୋଟରେ ଜିତିବା ପାଇଁ ଦରକାର ୨୭୧ ସାଂସଦଙ୍କ ସମର୍ଥନ । ଲୋକସଭାରେ କେବଳ ବିଜେପି ନିକଟରେ ୨ଶହ ୭୫ ସାଂସଦ ଥିବାବେଳେ ଅନ୍ୟ ସହଯୋଗୀଙ୍କ ସମର୍ଥନ ବି ରହିଛି । ବିଜେଡିର ୨୦ଜଣ ସାଂସଦ ଅନାସ୍ଥା ସପକ୍ଷରେ ଭୋଟ ଦେଲେ କିମ୍ବା ଭୋଟିଂରୁ ଦୂରେଇ ରହିଲେ ମଧ୍ୟ କୌଣସି ଫରକ ପଡିବ ନାହିଁ ।

ଅନାସ୍ଥା ପ୍ରସ୍ତାବ ନେଇ ସରକାର ଆଲୋଚନା କରିବାକୁ ରାଜିଥିବା ନେଇ ଲୋକସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତି ସତ୍ୱେ ସୋମବାର ସ୍ୱାଭାବିକ ହୋଇପାରି ନାହିଁ ଗୃହକାର୍ଯ୍ୟ । ଏଆଇଏଡିଏମକେ ସଦସ୍ୟଙ୍କ ହୋହଲ୍ଲା ଫଳରେ ଲୋକସଭାକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ମୋଦି ସରକାରଙ୍କ ଆଗ୍ରହ୍ୟ ପରେ ଅନାସ୍ଥା ନୋଟିସ ଦେଇଛନ୍ତି ୱାଇଏସଆର କଂଗ୍ରେସ ଓ ଟିଡିପି ।