ଭାଇରାଲ ହେଲା ନବୀନଙ୍କ ନାରା ! ମୁଖ୍ୟମନ୍ତ୍ରୀ ପଚାରୁଛନ୍ତିି, ‘ଆପଣମାନେ ଖୁସି ତ’  

449

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି ନବୀନଙ୍କ ନାରା- ଆପଣ ମାନେ ଖୁସି ତ ।  ସୋସିଆଲ ମିଡିଆରେ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ରାସ୍ତାଘାଟରେ ମଧ୍ୟ ଏହି ନାରା ଯୁବକ ଯୁବତୀ ମାନେ ଦୋହରାଉଥିବାର ଦେଖିବାକୁ ମିଳୁଛି ।ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଏଭଳି ମନ୍ତବ୍ୟ ରଖିଥିଲେ । ଏହାପରେ ହକି ବିଶ୍ୱକପ୍ ଓ ଏବେ ନବୀନ ସବୁ କାର୍ଯ୍ୟକ୍ରମରେ ଜନତାଙ୍କୁ ସେମାନେ ‘ଖୁସି ତ’ ବୋଲି ପ୍ରଶ୍ନ କରୁଛନ୍ତି । ଏବଂ ନିଜେ କହୁଛନ୍ତି, ସେ ବି ଖୁସି ଅଛନ୍ତି ।

ଯେକୌଣସି ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ନବୀନ ଯେତେବେଳେ ଆପଣ ମାନେ ଖୁସି ତ ବୋଲି ପ୍ରଶ୍ନ କରୁଛନ୍ତି ସେତେବେଳେ ଉପସ୍ଥିତ ଜନତା ମଧ୍ୟ ସମାନ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି । ଆଉ ନବୀନ ସନ୍ଦେଶ ଦେଉଛନ୍ତି ଯେ, ସାଧାରଣ ଜନତାଙ୍କ ଖୁସିରେ ସେ ମଧ୍ୟ ଖୁସି । ନବୀନଙ୍କ ଏହି ଡାଇଲଗ୍ ଏବେ ଚାରିଆଡେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । କିନ୍ତୁ ବିରେଧୀଙ୍କ କହିବା କଥା ହେଉଛି ଓଡିଶାବାସୀ ପ୍ରକୃତରେ ଖୁସି ନାହାନ୍ତି, କେବଳ ଖୁସୀର ଏକ ଭ୍ରମ ସୃଷ୍ଟି କରାଯାଉଛି ।

ନବୀନଙ୍କ ଏହି ଦୁଇ ପଦ ବିରୋଧୀଙ୍କ ଲମ୍ବା ଭାଷଣକୁ ମାତ୍ ଦେବାକୁ ଯଥେଷ୍ଟ । ଆଉ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖୁସିର ବାତାବରଣ ତିଆରି କରି ନବୀନ ନୂଆ ଟ୍ରେଣ୍ଡ ତିଆରି କରିଥିବା ଦାବି କରିଛି ବିଜେଡି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା ନବୀନଙ୍କ ଏହି ନାରା ଲୋକପ୍ରିୟ ହେବା ପରେ, ଏବେ ସବୁ ସମାରୋହରେ ଶୁଣିବାକୁ ମିଳୁଛି ।