ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନବୀନଙ୍କ ନୂଆ ଯୋଜନା ! ଯୁକ୍ତ ୩ ଓ ସ୍ନାତକୋତ୍ତର ଶିକ୍ଷାର୍ଥୀଙ୍କୁ ମିଳିବ ଆର୍ଥିକ ସହାୟତା

522

କନକ ବ୍ୟୁରୋ : ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କର ଗୋଟିଏ ପରେ ଗୋଟିଏ ଯୋଜନା ଏବେ ଚର୍ଚ୍ଚାର ବିଷୟ ହେଲାଣି । କାଳିଆ ଯୋଜନା ପରେ ଗରିବ ମେଧାବୀଙ୍କ ପାଇଁ ନବୀନ ପୁଣି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଅର୍ଥାଭାବରୁ ରାଜ୍ୟର କୌଣସି ବି ଗରିବ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ନୂଆ ବର୍ଷରେ ନୂଆକରି ଆଉ ଗୋଟିଏ ଯୋଜନା କରିବାକୁ ଯାଉଛନ୍ତି । ଏଣିକି ଯୁକ୍ତ ୩ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ବାର୍ଷିକ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରତି ଗରିବ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ଏ ନେଇ ଏକ ଯୋଜନା ଚିଠା ପ୍ରସ୍ତୁତ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ।

ଏହି ଯୋଜନାରେ ଲାଭ ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କେତୋଟି ସର୍ତ୍ତ ରଖାଯାଇଛି । ସେଗୁଡ଼ିକ ହେଲା ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ଓଡ଼ିଶାର ସ୍ଥାୟୀ ନାଗରିକ ହେବା ସହ ସମ୍ପୃକ୍ତ ଛାତ୍ରଛାତ୍ରୀ କୌଣସି ଏକ ସ୍ବୀକୃତି ପ୍ରାପ୍ତ ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ,ବିଶ୍ବବିଦ୍ୟାଳୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଶିକ୍ଷାରେ ନାମ ଲେଖାଇଥିବା ଆବଶ୍ୟକ । ଏଚଆଇଭି, ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ମାତାପିତାଙ୍କ ପୁଅ ଝିଅ ବି ଏହି ଯୋଜନାର ଲାଭ ପାଇପାରିବେ । ବାସଗୃହ କିମ୍ବା ଜମି ନଥିବା ପରିବାରର ଛାତ୍ରଛାତ୍ରୀ, ବିଧବା ବା ସ୍ବାମୀ ପରିତ୍ୟକ୍ତା ମହିଳା, ଅବିବାହିତ ମହିଳାଙ୍କ ପୁଅଝିଅଙ୍କୁ ଉଚ୍ଚଶିକ୍ଷା ପାଇଁ ଏହି ଆର୍ଥିକ ସହାୟତା ମିଳିପାରିବ ।

ତେବେ ଏହି ଯୋଜନାରେ ବୈଷୟିକ ଶିକ୍ଷା ବା ବୃତ୍ତିଗତ ଶିକ୍ଷା ପାଇଁ କୌଣସି ସହାୟତା ମିଳିବ ନାହିଁ । ସରକାର ରଖିଥିବା ସର୍ତ୍ତ ମୁତାବକ, ଏହି ଯୋଜନାର ଲାଭ ପାଇବାକୁ ଥିବା ଛାତ୍ରଛାତ୍ରୀ ପୂର୍ବରୁ କୌଣସି କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ନେଇ ନଥିବା ବାଞ୍ଛନୀୟ । ଉପରୋକ୍ତ ସର୍ତ୍ତାବଳିଙ୍କୁ ପୂରା କରୁଥିବା ଛାତ୍ରଛାତ୍ରୀ ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ସହ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଉପଲବ୍ଧ ଅନଲାଇନ ଫର୍ମରେ ଆବେଦନ କରିପାରିବେ  ।

ଆବେଦନ ଫର୍ମ ପୂରଣ କରିବା ପରେ ଦୁଇକିତା ନକଲ ସହ ସମ୍ପୃକ୍ତ କଲେଜର ଅଧ୍ୟକ୍ଷ କିମ୍ବା ମୁଖ୍ୟଙ୍କ ପାଖରେ ପରବର୍ତ୍ତୀ ପ୍ରକ୍ରିୟା କରଣ ପାଇଁ ଜମା କରିବା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ଇ-ମେଧାବୃତ୍ତି, ସ୍ବଳ୍ପ ସୁଧରେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଏବଂ ଅନାଥ ପିଲାଙ୍କୁ ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର‌୍ୟ୍ୟନ୍ତ ମାଗଣା ଶିକ୍ଷା ଯୋଗାଇ ଦେଇଛନ୍ତି  ।