ପଶ୍ଚିମ ଓଡିଶାର ୩୦ ଆସନ ଉପରେ ବିଜେଡିର ନଜର! ଝାରସୁଗୁଡାରେ ମିଶ୍ରଣ ପରେ ବଲାଙ୍ଗୀରରେ ନବୀନ ଯୁବକଙ୍କୁ ଦେବେ ମନ୍ତ୍ର

502

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ନବୀନଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶା । ଖାସକରି କଂଗ୍ରେସର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ଏଥର ଶଙ୍ଖନାଦ କରିବାକୁ ଫୁଲ ଦମରେ ଲାଗିଛି ବିଜେଡି । ପଶ୍ଚିମ ଓଡିଶାରେ ଯେପରି ବିଜେଡି କ୍ଲିନ ସ୍ୱିପ କରିପ ସେଥିପାଇଁ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିଜେଡିର ନିର୍ବାଚନୀ ମ୍ୟାନେଜମେଣ୍ଟ ଟିମ୍ । କଂଗ୍ରେସର ଗଡକୁ ଦଖଲ କରିବାକୁ ବାହାରିଥିବା ବିଜେଡି ପ୍ରଥମେ କଂଗ୍ରେସରୁ ଇସ୍ତଫା ଦେଇଥିବା ଝାରସୁଗୁଡା ବିଧାୟକ ନବ ଦାସକୁ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଛି । ବିଧିବଦ୍ଧ ଭାବେ ନବ ବିଜେଡିରେ ସାମିଲ ହୋଇନଥିଲେ ମଧ୍ୟ ଆସନ୍ତାକାଲି ନବୀନଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିବେ ବୋଲି ଏକରକମ ସ୍ଥିର ହୋଇସାରିଛି । ଏପରିକି ଆସନ୍ତାକାଲି ନବୀନଙ୍କ ସମାବେଶରେ ଲକ୍ଷାଧିକ ଲୋକଙ୍କୁ ଏକାଠି କରି ନବ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତିରେ ଶେଷ ସ୍ପର୍ଶ ଦିଆସରିଛି । ଆଉ ଏହିଠାରୁ ହିଁ ଆରମ୍ଭ ହେବ ନବୀନଙ୍କ ମିଶନ ପଶ୍ଚିମ ଓଡିଶା ଅଭିଯାନ ।

ପଶ୍ଚିମ ଓଡିଶା ଭୋଟରଙ୍କ ଉପରେ ଏବେ ୩ ପ୍ରମୁଖ ଦଳଙ୍କ ନଜର । ଖାସକରି ମୋଦିଙ୍କ ବଲାଙ୍ଗୀର ସମାବେଶ ପରେ ୩ ପ୍ରମୁଖ ରାଜନୈତିକ ଦଳଙ୍କ ରାଡାରରେ ପଶ୍ଚିମ ଓଡିଶା ଭୋଟବ୍ୟାଙ୍କ । ଆଉ ଏହି ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ଏବେ କସରତ ଆରମ୍ଭ କରିଛି ବିଜେଡି । ପଶ୍ଚିମ ଓଡିଶାରେ ମୋଦିଙ୍କ କ୍ରେଜକୁ ଫିକା କରିବାକୁ ବଲାଙ୍ଗୀର ଠାରେ ହିଁ ଯୁବ ସମାବେଶ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେଡି । ପାଖାପାଖି ୨୫ରୁ ୩୦ ହଜାର ଯୁବକ ଯୁବତୀଙ୍କୁ ଏହି ସମାବେଶରେ ସାମିଲ କରି ଯୁବ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବାକୁ ଲକ୍ଷ୍ୟ ରଖିଛି ଦଳ ।

ବଲାଙ୍ଗୀର ଓ ଝାରସୁଗୁଡା ଦୁଇଟି ସଭାରେ ନବୀନ ଯୋଗ ଦେବାକୁ ଯାଉଥିବା ବେଳେ ଝାରସୁଗୁଡା ସମାବେଶ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଏହି ସମାବେଶରୁ ହିଁ ମିଶନ ପଶ୍ଚିମ ଓଡିଶା ଅଭିଯାନ ଆରମ୍ଭ କରିବେ ନବୀନ । ପଶ୍ଚିମ ଓଡିଶାର ୩୦ଟି ବିଧାନସଭା ଆସନ ଉପରେ ଏବେ ବିଜେଡିର ନଜର ରହିଛି । ଖାସକରି ବରଗଡ ଲୋକସଭା ଆସନରୁ ପଶ୍ଚିମ ଓଡିଶା ମିଶନ ଆରମ୍ଭ କରିବାକୁ ଯୋଜନା କରିଛି ବିଜେଡି । କାରଣ ଗତ ପଞ୍ଚାୟତ ନିର୍ବାଚନରେ ଏହିଠାରେ ଚିତପଟାଙ୍ଗ ମାରିଥିଲା ବିଜେଡି । କାମ କରିନଥିଲା ନବୀନଙ୍କ ଯାଦୁ । ଗୋଟିଏ ପଟେ ବରଗଡ ଜିଲ୍ଲାରେ ବିଜେପି ନିଜର ଦବଦବା ଜାହିର କରିଥିଲା ଆଉ ଅନ୍ୟପଟେ ନବଙ୍କ ଗଡ ଝାରସୁଗୁଡାରେ ବିଜେଡିକୁ ମାତ୍ ଦେଇଥିଲା କଂଗ୍ରେସ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ଦୁଇଟି ନିର୍ବାଚନ କଥା ଯଦି ଦେଖିବା ତେବେ ସାରା ଓଡିଶାରେ ନବୀନଙ୍କ ଯାଦୁ ଦେଖିବାକୁ ମିଳିଥିବା ବେଳେ ଝାରସୁଗୁଡା, ବିଜେପୁର, ବ୍ରଜରାଜନଗର ଆସନରେ ବିଜେଡିକୁ ପରାଜୟ ମୁହଁ ଦେଖିବାକୁ ମିଳିଥିଲା । ଏହାଛଡା ୨୦୧୪ରେ ପଦ୍ମପୁର ଆସନ ମଧ୍ୟ ବିଜେଡି ଖାତାରୁ ଖସି ବିଜେପି ଖାତାକୁ ଯାଇଥିଲା । ଯାହା ଦର୍ଶାଉଥିଲା ବିଜେଡିର ସ୍ଥିିତି ଏଠାରେ ସମ୍ପୂର୍ଣ୍ଣ ଦୁର୍ବଳ ଥିଲା । ତେବେ ବିଜେପୁର ଉପନିବାର୍ଚନ ଜିତି ପଞ୍ଚାୟତ ନିବାର୍ଚନ ପରେ ଜବରଦସ୍ତ କମବ୍ୟାକ କରିଥିଲା ବିଜେଡି । ତେଣୁ ଏହି ବିଜୟଧାରାକୁ ଆଗକୁ ନେବାକୁ ଏବେ ମିଶନ ପଶ୍ଚିମ ଓଡିଶା ଅଭିଯାନ ଆରମ୍ଭ କରିଛି ବିଜେଡି ।

ଖାସକରି କଂଗ୍ରେସର ଗଡ କୁହାଯାଉଥିବା ଏହି ଅଞ୍ଚଳକୁ ସବୁଜ ଗଡରେ ପରିଣତ କରିବାକୁ ଯୋଜନା ଚଳାଇଛି ବିଜେଡି । ଆଉ ଏହାକୁ ପୂରଣ କରିବାକୁ ସବୁଜ କ୍ୟାମ୍ପରେ ଯୋଗ ଦେଇଛନ୍ତି ବିଜେପୁର ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ । ଏହାଛଡା ନବ ଦାସଙ୍କୁ ଦଳରେ ସାମିଲ କରିବା ସହ କଂଗ୍ରେସର ବଡ ଭୋଟବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଏହାଛଡା ପଶ୍ଚିମ ଓଡିଶାର ବିଜେପିର ଜଣେ ବିଧାୟକଙ୍କୁ ମଧ୍ୟ ରାଡାରରେ ରଖିଛି ବିଜେଡି । ଯଦି ସବୁକିଛି ଯୋଜନା ମୁତାବକ ଚାଲେ ତେବେ ପଶ୍ଚିମ ଓଡିଶାରେ ସୁପ୍ତ ହୋଇ ରହିଥିବା ବିଜେଡି ମଧ୍ୟରେ ନିର୍ବାଚନ ପୂର୍ବରୁ ଶତସିଂହର ବଳ ଆସିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଯୋଜନା ମାଧ୍ୟମରେ ପଶ୍ଚିମ ଓଡିଶାକୁ ସବୁଜ ଗଡରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜେଡି ସୁପ୍ରିମୋ ।