ନବୀନଙ୍କୁ ଆଉଟଲୁକ୍ ପୁରସ୍କାର ମିଳିବା ନେଇ ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ରଖିଲା ବିଜେଡି

32

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ଆଉଟଲୁକରେ ସମ୍ମାନିତ କରାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷର କଡା ଜବାବ୍ ରଖିଛି ବିଜେଡି । କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ, ନିଜ ନିର୍ବାଚନ ମଣ୍ଡଳିରେ କେନ୍ଦ୍ରମନ୍ତ୍ରୀଙ୍କୁ କେହି ପଚାରୁନାହାନ୍ତି । ବାହାର ରାଜ୍ୟରେ ସାଂସଦ ହେବା ପରେ ନିଜକୁ ଓଡିଆ ବୋଲି ଭାବୁନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ପୁରସ୍କାର ପାଇଲେ ଦାମ ଖୁସି ହେବେ ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ ଆଇଓସିଏଲ ପ୍ରସଙ୍ଗରେ ସବୁବେଳେ ଧର୍ମେନ୍ଦ୍ରଙ୍କୁ କାଠଗଡାକୁ ଟାଣୁଥିବା ଦାମ ଏଥର ବି କଡା କଥା କହିଛନ୍ତି । କହିଛନ୍ତି ଯେ, ପାରାଦୀପ ଆଇଓସିଏଲରେ ବିହାର କଲୋନି ହୋଇ ସାରିଲାଣି । ରାଜ୍ୟ ପାଇଁ ଧର୍ମେନ୍ଦ୍ର ଜଣେ ବଡ ଶତ୍ରୁ ବୋଲି କହିଛନ୍ତି ମନ୍ତ୍ରୀ ।

ସୂଚନା ମୁତାବକ, ଆଉଟଲୁକ ପତ୍ରିକା ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଦିଲ୍ଲୀରେ କେହି ଆଉଟଲୁକ୍ ପଢନ୍ତିନାହିଁ । ବିଜ୍ଞାପନ ଦେଲେ ପୁରସ୍କାର ମିଳିପାରୁଛି । ମୋତେ କେବେ ଏଭଳି ପୁରସ୍କାର ମିଳିବ ଅପେକ୍ଷା କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ନିକଟରେ ସୁପ୍ରିମକୋର୍ଟ କହିଥିଲେ ଓଡିଶାରେ ପାହାଡ ଭଳି ଖଣି ଲୁଟ୍ ହୋଇଛି । ଆଉ ଏଥିରେ ରାଜ୍ୟ ସରକାରଙ୍କ ସଂପୃକ୍ତି ରହିଛି । ଦୌପଦୀଙ୍କ ବସ୍ତ୍ରହରଣ ହେଲେ ଭୀଷ୍ମ ଓ ଦ୍ରୋଣ ନୀରବ ରହିଥିଲେ । ତେବେ ଏଭଳି ସ୍ଥିତିରେ ବିଦ୍ୱାନମାନେ ନୀରବ ନରହିବାକୁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି ।