ବିରଳ ରାଜନେତା ନବୀନ ! ଜାଣନ୍ତୁ କେଉଁ ପରିସ୍ଥିତିରେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ ?

137

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୩ ବର୍ଷ ବୟସରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ହେଲେ ତିତଲି ବାତ୍ୟା ଓ ଏହା ପରେ ହୋଇଥିବା ବନ୍ୟାରେ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେନାହିଁ ନବୀନ । ପ୍ରତିବର୍ଷ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବେଶ୍ ଭିଡ଼ ଜମେ । ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନ ଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ ଅଫିସର୍ମାନଙ୍କୁ କୁହାଯାଇଛି। ତେବେ ଜନ୍ମଦିନ ଅବସରରେ ଜାଣିବା ନବୀନ ବାବୁ ରାଜନୀତିକୁ କିପରି ପ୍ରବେଶ କରିଥିଲେ ?

ସାମ୍ପ୍ରତିକ ରାଜନୀତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ବିରଳ ରାଜନେତା । କାରଣ ତାଙ୍କର ସରଳ ଜୀବନଶୈଳୀ ତାଙ୍କୁ ଅନ୍ୟ ରାଜନେତାଠାରୁ ନିଆରା କରିଛି । ପୋଷାକପତ୍ର କହିଲେ ଧଳା କୁର୍ତା ପାଇଜାମା, ହାୱାଇ କିମ୍ବା କୋହ୍ଲାପୁର ଚପଲ । ଅଫିସ ହେଉ କି’ ବାସଭବନ, ସବୁଠି ସାଧାରଣ ଆସବାବପତ୍ର । ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷତ୍ୱ । କେବଳ ସେତିକି ନୁହେଁ, ପ୍ରଶାସନିକ ଦକ୍ଷତା, ତୀକ୍ଷ୍ଣ ଦୂରଦୃଷ୍ଟି, ଜନହିତକର ଯୋଜନା ଯୋଗୁଁ ଅନେକ ଥର ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଛନ୍ତି ନବୀନ । ନମ୍ବର ୱାନ ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ ଓ ଶ୍ରେଷ୍ଠ ପ୍ରଶାସକ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି । ନିକଟରେ ଇଣ୍ଡିଆ ଟୁଡେ’ର ସର୍ଭେ କହୁଛି, ୪ ଥର କ୍ରମାଗତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ବି ଲୋକପ୍ରିୟତାରେ ଦେଶର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ।

୧୯୯୭ ମସିହାରେ ଲୋକପ୍ରିୟ ଜନନାୟକ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହୋଇଗଲା । ନେତୃତ୍ୱରେ ସୃଷ୍ଟି ହେଲା ଶୂନ୍ୟତା । ହେଲେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । ୧୯୯୯ ମହାବାତ୍ୟାର ବିଭୀଷିକା ପରେ ରାଜ୍ୟର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ସେତେବେଳେ ରାଜନୈତିକ ଅସ୍ଥିରତା ଏବଂ ବିପର୍ଯ୍ୟସ୍ତ ଆର୍ଥିକ ଅବସ୍ଥା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଓଡ଼ିଶାବାସୀଙ୍କ ଆଗରେ ଏକମାତ୍ର ବିକଳ୍ପ ଥିଲା ନବୀନବାବୁଙ୍କ ନେତ୍ୱତ୍ୱରେ ଗଢା ହୋଇଥିବା ଆଂଚଳିକ ଦଳ ବିଜୁ ଜନତା ଦଳ । ନିର୍ବାଚନରେ ନବୀନଙ୍କ ଉପରେ ଆସ୍ଥାପ୍ରକଟ କରିଥିଲେ ରାଜ୍ୟବାସୀ । ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିଲା ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ଆଉ ଏହା ଥିଲା ଓଡ଼ିଶା ରାଜନୀତିରେ ଟର୍ଣ୍ଣିଂ ପଏଂଟ ।

ନବୀନ ଅନୁଭବ କରିଥିଲେ ଯେ ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ନହେଲେ ରାଜ୍ୟର ସାମଗ୍ରିକ ବିକାଶ ଅସମ୍ଭବ । ଗରିବ, ଆଦିବାସୀ, ମହିଳା, ବୃଦ୍ଧ-ବୃଦ୍ଧା, ଛାତ୍ର ଓ ଯୁବକଙ୍କ ପାଇଁ ଆଣିଲେ ଅଭିନବ ଯୋଜନା । ସେପଟେ ରାସ୍ତାଘାଟ, ଗମନାଗମନ, ନଦୀରେ ସେତୁ ଏବଂ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଗଲା । ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ନବୀନଙ୍କ ଉପରେ ପୁଣିଥରେ ଓଜାଡି ହୋଇ ପଡିଥିଲା ଜନସମର୍ଥନ । ୨୦୦୪ରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ।

୨୦୦୯ ନିର୍ବାଚନରେ ବିଜେପିର ହାତ ଛାଡ଼ି ଏକାକୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା ବିଜେଡି । ନବୀନଙ୍କ ନେତୃତ୍ୱ ପ୍ରତି ତୃତୀୟ ଥର ପାଇଁ ଓଡ଼ିଶାବାସୀ ସମର୍ଥନ ଜଣାଇଥିଲେ । ତୃତୀୟ ପାଳିରେ ମଧ୍ୟ ନବୀନଙ୍କ ଯୋଜନା ଲୋକାଦୃତ ହୋଇଥିଲା । ୨୦୧୪ରେ କ୍ରମାଗତ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିପାରିଛନ୍ତି ନବୀନ ।

କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନର ବହୁ ପୂର୍ବରୁ ଗରିବ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଯୋଜନା କରିଥିଲେ ନବୀନ । ଗରିବଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଟଙ୍କିକିଆ ଚାଉଳ ଥିଲା ତାଙ୍କର ଅନନ୍ୟ ପରିକଳ୍ପନା ।

ନିକଟରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରି ପୁଣି ଥରେ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ । ସେହିପରି ସହରାଂଚଳରେ ୫ ଟଙ୍କିଆ ଆହାର ଯୋଜନା କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବଳ ଖାଦ୍ୟ ସୁରକ୍ଷା ନୁହେଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବୀନ ନେଇଛନ୍ତି ଐତିହାସିକ ପଦକ୍ଷେପ । ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏକ ଯୁଗାନ୍ତକାରୀ ନିଷ୍ପତି । ଗୁରୁସେତୁ ନିର୍ମାଣ କରି ବିଚ୍ଛିନ୍ନାଂଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନକୁ ସାକାର କରିଛନ୍ତି ।

naveen

ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା, ମମତା ଯୋଜନାରେ ମା’ ଓ ଶିଶୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ତାଙ୍କ ଦୂରଦୃଷ୍ଟିର ପରିଚୟ । ଜଙ୍ଗଲ ଜମି ଓ ଜଙ୍ଗଲଜାତ ଜିନିଷ ଉପରେ ଆଦିବାସୀଙ୍କୁ ଅଧିକାର ଦିଆଯାଇଛି । ଜାଗା ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ମିଳିଛି ଜମି ଅଧିକାର । ଗରିବ ମେଧାବୀ ଛାତ୍ରଙ୍କ ପାଇଁ ବୃତି, ଯୁବକମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭରଶୀଳ କରିବାରେ ତାଙ୍କର ଭୂମିକା ଅତୁଳନୀୟ ।

ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ କରିବା ପାଇଁ ନବୀନ ଯାହା କରି ଦେଖାଇଛନ୍ତି, ତାହା ରାଜ୍ୟର ସ୍ୱର୍ଣ୍ଣିମ ଇତିହାସର ଗୋଟିଏ ଗୋଟିଏ ଅପାସୋରା ଫର୍ଦ୍ଦ ହୋଇରହିବ । ତାଙ୍କରି ଉଦ୍ୟମରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ହକି ୱାର୍ଲ୍ଡକପ୍ । ଯାହା ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଭାରତୀୟ ହକି ଦଳ ‘ଓଡ଼ିଶା’ ଲେଖାଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲା ବେଳେ ସାଢ଼େ ୪ କୋଟି ଓଡ଼ିଆ ଗର୍ବ ଅନୁଭବ କରୁଛନ୍ତି । ନବୀନ, ଏବେ ପୁଣି ଏକ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ପୁଣି ଥରେ ହେବ ତାଙ୍କ ଲୋକପ୍ରିୟତାର ଏସିଡ୍ ଟେଷ୍ଟ ।