‘ତିତଲି’ କ୍ଷତି କରିଛି ୨,୭୭୦ କୋଟି ! ପ୍ରଥମ ପର୍ଯ୍ୟାୟରେ ୧ ହଜାର କୋଟି ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।

98

କନକ ବ୍ୟୁରୋ : ତିତଲି କ୍ଷୟକ୍ଷତି ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ । ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ୧ ହଜାର କୋଟି ଟଙ୍କା ସହାୟତା ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୭୭୦.୨୮ କୋଟିର କ୍ଷତି ନେଇ କେନ୍ଦ୍ରକୁ ପ୍ରାଥମିକ ସ୍ମାରକପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଡିଆରଏଫ ଫଣ୍ଡରୁ ୨୦୧୪.୦୯ କୋଟି ଟଙ୍କା ଦାବି କରିବା ସହ ୧୦୦୦ କୋଟିର ମଧ୍ୟବର୍ତ୍ତୀକାଳୀନ ସହାୟତା ମାଗିଛନ୍ତି ନବୀନ ।

ତୁରନ୍ତ ଅର୍ଥରାଶି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାଙ୍ଗିଥିବା ୫୭,୧୩୧ ଘରକୁ ପିଏମଏଓ୍ୱାଇରେ ସାମିଲ ପାଇଁ ମଧ୍ୟ ଦାବି କରିଛନ୍ତି । ୨.୭୩ ଲକ୍ଷ ହେକ୍ଟର ଜମିରେ ପ୍ରବଳ କ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଗଞ୍ଜାମ ଓ ଗଜପତିରେ ବିଜୁଳି ଭିତ୍ତିଭୂମି ଅଧିକ ପ୍ରଭାବିତ ହୋଇଥିବା ବେଳେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତୁରନ୍ତ ଏସବୁର ମରାମତିର ଆବଶ୍ୟକ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରଭାବରେ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ଅଛନ୍ତି । ସେହିପରି ପ୍ରଳୟଙ୍କରୀ ବାତ୍ୟା ତିତଲିରେ ‘୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା’ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।