ଏନ.ଏଚର ଉନ୍ନତିକରଣ,ପ୍ରଶସ୍ତିକରଣ ନହେବାରୁ ରାଜ୍ୟରେ ଗମନାଗମନର ଘୋର ଅସୁବିଧା ! କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

85

କନକ ବ୍ୟୁରୋ : ଏନ.ଏଚ-୪୯ର ଦୁରାବସ୍ଥା ନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଥିବା ଜାତୀୟ ରାଜପଥ ଗୁଡ଼ିକର ସମୟାନୁଯାୟୀ ରକ୍ଷଣାବେକ୍ଷଣ, ଉନ୍ନତିକରଣ,ପ୍ରଶସ୍ତିକରଣ ନହେବାରୁ ରାଜ୍ୟର ପ୍ରମୁଖ ଗମନାଗମନ ବ୍ୟବସ୍ଥାରେ ଘୋର ଅସୁବିଧା ହେଉଛି ।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରି କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାରେ ଝାରପୋଖରିଆ-କେନ୍ଦୁଝର-ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୪୯ ଗମନାଗମନ କଲାଭଳି ଅବସ୍ଥାରେ ନାହିଁ । ଏ ନେଇ ସର୍ବସାଧାରଣଙ୍କଠୁ ବହୁ ଅଭିଯୋଗ ହସ୍ତଗତ ହୋଇଛି ।  ସେହିପରି ମୟୁରଭଞ୍ଜି ଜିଲ୍ଲା ଦେଇ ଯାଇଥିବା ହାଟଗମ୍ଭାରିଆ-ବେଣିସାଗର ରାସ୍ତାଟି ସିଙ୍ଗଡ଼ାଠାରେ ଏନଏଚ-୪୯କୁ ସଂଯୋଗ କରିଛି । ଏହି ରାସ୍ତାଟିକୁ କେନ୍ଦ୍ର ସରକାର ୨୦୧୬ ଫେବ୍ରୁଆରୀ ୧୭ ତାରିଖରେ ଜାତୀୟ ରାଜପଥର ମାନ୍ୟତା ଦେଇଥିଲେ । କିନ୍ତୁ ସେବେଠୁ ଏହି ରାସ୍ତାର ଉନ୍ନତିକରଣ କାର‌୍ୟ୍ୟ ଏ ଯାଏ ହୋଇନି ।

ଚିଠିରେ ମୁଖ୍ୟମନ୍ତ୍ରୀ ୪ଟି ରାସ୍ତାକୁ ଜାତୀୟ ରାଜପଥ ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି । ଭଦ୍ରକ-ଆନନ୍ଦପୁର-ଠାକୁରମୁଣ୍ଡା-କରଞ୍ଜିଆ-ସିଙ୍ଗଡ଼ା ୧୩୫ କିଲୋମିଟର,ସେରଗଡ଼-ନୀଳଗିରି-କପ୍ତିପଦା-ବାରିପଦା-ପଶ୍ଚିମବଙ୍ଗ ସୀମା ୧୧୦ କିଲୋମିଟିର,ରାଇରଙ୍ଗପୁର-ବିଶୋଇ-ବାଙ୍ଗିରିପୋଷୀ-କାଳବଡ଼ିଆ ୫୪ କିଲୋମିଟର ଓ ଯଶିପୁର-ଚମ୍ପୁଆ ୭୦ କିଲୋମିଟର ରାସ୍ତାକୁ ଏନ.ଏଚ ଘୋଷଣା କରିବାକୁ ଚିଠିରେ ଜଣାଇଛନ୍ତି ।