ପୋଲାଭରମ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁରନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ କଲେ ଅନୁରୋଧ ।
କନକ ବ୍ୟୁରୋ : ପୋଲାଭରମ୍ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଚାରଧୀନ ମାମଲା ଓ ବିଭିନ୍ନ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତୁରନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ମତ ନନେଇ ବିଭିନ୍ନ ସମୟରେ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଦୁଇ ବର୍ଷ ପାଇଁ ପୁଣିଥରେ କାର୍ଯ୍ୟବନ୍ଦ ନିର୍ଦ୍ଦେଶକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସ୍ଥଗିତ ରଖିଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଂଚଳରେ ଜନଶୁଣାଣି ନକରି ୨୦୦୫ରେ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ଦିଆଯାଇଥିଲା । ସେହିପରି ପ୍ରକଳ୍ପର ଡିଜାଇନ୍ ପରିବର୍ତନ ନିଷ୍ପତି ଜନଶୁଣାଣି ପରେ ନିଆଯିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏପର୍ଯ୍ୟନ୍ତ ଓଡ଼ିଶାରେ ଜନଶୁଣାଣି ହୋଇନାହିଁ ।
ଥରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇଗଲେ, ଏଥିରେ କୌଣସି ପରିବର୍ତନ କରିବା ଅସମ୍ଭବ ହୋଇପଡ଼ିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲାଭରମ ପ୍ରକଳ୍ପ ବନ୍ଦ ନହେଲେ, ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଗାଁ ଜଳମଗ୍ନ ହୋଇଯିବ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ।