ମୋଦିଙ୍କ ତଥ୍ୟକୁ ନବୀନଙ୍କ କାଉଣ୍ଟର ! ୨୦୧୪ ଏପ୍ରିଲରୁ ୨୦୧୮ ନଭେମ୍ବର, ଜଳସେଚନର ଗୋଟି ଗୋଟି ହିସାବ ଦେଲେ ନବୀନ

282

କନକ ବ୍ୟୁରୋ : ମୋଦିଙ୍କ ବାରିପଦା ଗସ୍ତର ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଜଳସେଚନ ନେଇ ମୋଦି ଦେଇଥିବା ତଥ୍ୟକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ମୋଦିଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ୨୦୧୪ ଏପ୍ରିଲରୁ ୨୦୧୮ ନଭେମ୍ବର ପର୍ଯ୍ୟନ୍ତ ଜଳସେଚନ ସର୍ମ୍ପକୀୟ ଗୋଟି ଗୋଟି ଚିଠିରେ  ଉଲ୍ଲେଖ କରିଛନ୍ତି ନବୀନ ।

ଡିସେମ୍ବର ୨୪ ଓଡିଶା ଗସ୍ତ ସମୟରେ ଖୋର୍ଦ୍ଧା ସମାବେଶରେ ମୋଦି ରାଜ୍ୟ ସରକାରଙ୍କ ଜଳସେଚନ ପ୍ରତିଶୃତି ଉପରେ ପ୍ରଶ୍ନର ପାହାଡ ଛିଡା କରିଥିଲେ । ୨୦୧୪ ନିର୍ବାଚନୀ ଇସ୍ତାହାରରେ ୧୦ ଲକ୍ଷ ହେକ୍ଟର ଜମି ଜଳସେଚିତ କରିବାକୁ ପ୍ରତିଶୃତି ଦିଆଯାଇଥିବା ବେଳେ ମାତ୍ର ୨୨ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା କହିଥିଲେ ମୋଦି ।  ତେବେ ମୋଦିଙ୍କ ଅଭିଯୋଗର ୧୦ ଦିନ ପରେ ଏହାର ଜବାବ ଦେଇଛନ୍ତି ନବୀନ । ଚିଠି ଲେଖି ଜଳସେଚନ ବିଭାଗର ପୂରା ହିସାବ ଦେଇଛନ୍ତି ନବୀନ ।

୨୦୧୪ ଏପ୍ରିଲରୁ ୨୦୧୮ ନଭେମ୍ବର ମଧ୍ୟରେ ରାଜ୍ୟରେ ମୋଟ ୭.୮ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଥିବା କହିଛନ୍ତି ନବୀନ । ଏପରିକି ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ କରିବାର ପ୍ରତିଶୃତି ପୂରଣ କରିବୁ ବୋଲି କହିଛନ୍ତି ନବୀନ । ୨୦୧୪ରୁ ଏବେ ପର୍ଯ୍ୟନ୍ତ ମୋଟ ୨୬,୮୮୯ କୋଟି ଟଙ୍କା ଚାଷ ଜମି ଜଳସେଚିତ କରିବାକୁ ଖର୍ଚ୍ଚ କରାଯାଇଛି ।  ଆଉ ଏଥିରେ କେନ୍ଦ୍ରର ମାତ୍ର ୪.୫ ପ୍ରତିଶତ ଅଥାର୍ତ ୧୨୧୧ କୋଟି ଟଙ୍କାର ସହଯୋଗ ରହିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ସର୍ବାଧିକ ୧୦୧୯୬ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏହାର ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ୱେବସାଇଟରେ ଉଲ୍ଲେଖ ରହିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ସହଯୋଗରେ ୪୬ଟି ମେଗା ଉଠା ଜଳସେଚନ ପ୍ରକଳ୍ପ, ୫୩,୫୭୬ଟି ଗଭୀର ନଳକୂପ, ୫୮୩୭ଟି ଗୋଷ୍ଠୀ ଲିଫ୍ଟ ପଏଣ୍ଟ, ୮୩୩୫ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । ଏସବୁ ବାଦ୍ ଜଳସେଚନ କ୍ଷେତ୍ରରେ ନିବେଶରେ ଓଡିଶା ଦେଶରେ ଆଗୁଆ ଥିବା ବେଳେ ଆଗାମୀ ଦିନରେ ଓଡିଶାକୁ ସହଯୋଗ ଜାରି ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।

ତେବେ ମୋଦିଙ୍କୁ ନବୀନ ଏହି ଚିଠି ଲେଖିବା ପରେ ରାଜନୈତିକ ମହଲରେ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ୫ ତାରିଖରେ ମୋଦିଙ୍କ ବାରିପଦା ଗସ୍ତ ପୂର୍ବରୁ ଚିଠି ମାଧ୍ୟମରେ ନବୀନଙ୍କ ଏଭଳି ଆଭିମୁଖ୍ୟ ନୂଆ ରାଜନୈତିକ ସମୀକରଣ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଗୋଟିଏ ପଟେ ଖୋର୍ଦ୍ଧା ସମାବେଶରେ ମୋଦି ନାଁ ନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ୨୬ ତାରିଖ ବିଜେଡିର ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରି ଏହାର ଜବାବ ମାଗିବା ସହ ରାଜନୈତିକ ରେସରେ ଫ୍ରଣ୍ଟଫୁଟରେ ରହିଛନ୍ତି ନବୀନ ।