କୋଣାର୍କ ମନ୍ଦିରରେ ପାଣି ଜମିବା ପ୍ରସଙ୍ଗ : ସ୍ଥାୟୀ ସମାଧାନ ପାଇଁ ସଂସ୍କୃତି ମନ୍ତ୍ରାଳୟକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

31

କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋର୍ଣାକ ମନ୍ଦିରରେ ବାରମ୍ବାର ପାଣି ଜମିବା ପରେ ଏହାର ସ୍ଥାୟୀ ସମାଧାନ ଏଏସଆଇ ଦ୍ୱାରା କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି ନବୀନ । ପ୍ରବଳ ବର୍ଷାରେ କୋଣାର୍କ ମନ୍ଦିରରେ ପାଣି ଜମିଯିବା ପରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ବଡ କଥା ହେଲା ଡ୍ରେନେଜ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ଏଭଳି ସ୍ଥିତି ଉପୁଜୁଛି । ଯେଉଁ କୋଣାର୍କ ମନ୍ଦିରକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସନ୍ତି ସେଠି ଜଳବନ୍ଦୀ ହେବାର ଚିତ୍ର ପର୍ଯ୍ୟଟକଙ୍କୁ ବେଶ ହନ୍ତସନ୍ତ କରିଛି ।

ତେଣୁ ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରରେ କେମିତି ପାଣି ଜମିବ ନାହିଁ ଓ ବନ୍ୟାର ଭ୍ରମ ତିଆରି କଳା ଭଳି ଦୃଶ୍ୟକୁ ଦୂର କରିହେବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଏସଆଇର ଅନୁମତି ସହ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଛନ୍ତି । ଏହାସହ କେମିତି ଡ୍ରେନେଜ ବ୍ୟବସ୍ଥା ଦ୍ୱାରା ପର୍ଯ୍ୟଟକଙ୍କ ସମସ୍ୟାକୁ ଦୂର କରାଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ନବୀନ । ଏହାସହ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ବି ପ୍ରଦାନ କରିଚନ୍ତି ରାଜ୍ୟ ସରକାର । ଯାହାକି ଡ୍ରେନେଜ ବ୍ୟବସ୍ଥା ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ସହଯୋଗ କରିପାରିବ ।

୧୯୦୩ ମସିହାରେ କୋଣାର୍କ ମନ୍ଦିର ପରିସରରେ ଏକ ବଡ ଖନନ କାର୍ଯ୍ୟ କରାଯିବା ପରେ ମନ୍ଦିରକୁ ବନ୍ଦ କରିଦିଆଯାଇଥିଲା । ୧୯୦୫ ମସିହାରେ ଶେଷ ଥର ପାଇଁ ମୁଖଶାଳା ଓ ନାଟ ମନ୍ଦିରର ମରାମତି କରାଯାଇଥିଲା । ୧୯୦୬ରେ ମନ୍ଦିରକୁ ସାମୂଦ୍ରିକ ପବନରୁ ସୁରକ୍ଷା ଦେବା ପାଇଁ ଗଛ ଲଗାଯାଇଥିଲା । ୨୦୦୩ ମସିହାରେ ଏକ ଖନନ ଉଦ୍ୟମ ବେଳେ ମନ୍ଦିରରେ ଥିବା ଡ୍ରେନେଜ ବ୍ୟବସ୍ଥା ଦେଖିବାକୁ ମିଳିଥିଲା । ହୁଏତ ଏହି ଡ୍ରେନେଜ ବ୍ୟବସ୍ଥା ମନ୍ଦିର ପରିସରରୁ ବର୍ଷା ଜଳ ନିସ୍କାସନ କରିବାରେ ସହାୟକ ହୋଇପାରେ । ବର୍ତମାନ ଏଏସଆଇକୁ ଏଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଛି ।