ସରିବ କି ଆଇଓସିଏଲ ବିବାଦ? ନବୀନ-ଧର୍ମେନ୍ଦ୍ର ଭେଟଘାଟ ଆଣିବ କି ସମାଧାନର ସୁତ୍ର?ଦିଲ୍ଲୀରେ ଓଡିଶାର କଥା ।

49

କନକ ବ୍ୟୁରୋ: ଆସନ୍ତାକାଲି ଦିଲ୍ଲୀରେ ହେବ ନବୀନ-ଧର୍ମେନ୍ଦ୍ର ଭେଟଘାଟ । ପାଂଚଦିନିଆ ଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଓଡିଶା ଭବନରେ ହେବ ଆଲୋଚନା । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ପାରାଦୀପ ରିଫାଇନାରୀ ଓ ଆଇଓସିଏଲ ସଂପର୍କରେ । ହେଲେ ଏହି ଆଲୋଚନାରେ ରାଜ୍ୟ କେତେ ସୁଫଳ ପାଇବ ତାକୁ ନେଇ ଚାଲିଛି ମାନସମଂଥନ ।

ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନରେ ନବୀନ-ଧର୍ମେନ୍ଦ୍ରଙ୍କ ଆଲୋଚନାକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । କାରଣ ଆଇଓସିଏଲ ଓ ପାରାଦୀପ ରିଫାଇନାରୀକୁ ନେଇ ଏହି ଆଲୋଚନାରେ ରାଜ୍ୟକୁ କଣ ଫାଇଦା ମିଳିବ ତାକୁ ନେଇ ଅଙ୍କକଷା ଆରମ୍ଭ ଚାଲିଛି । ଆଇଓସିଏଲରୁ ଟ୍ୟାକ୍ସ ସଂଗ୍ରହ ନେଇ ଥିବା ପ୍ରତିବନ୍ଧକକୁ ଏହି ଭେଟଘାଟ ହଟାଇ ପାରିବ କି ? ରାଜନୈତିକ କ୍ଷେତ୍ରରେ ଏ ପ୍ରଶ୍ନ ଉଙ୍କି ମାରିଛି । କାରଣ ଏ ସମସ୍ୟାର ସମାଧାନ ପାଇଁ ଓଡିଶା ମୁଖ୍ୟ ସଚିବ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଓ ଆଇଓସିଏଲର ଅଧିକାରୀଙ୍କ ମଧ୍ୟରେ ଅନେକଥର ବୈଠକ ହୋଇଛି । ଯାହାର କୌଣସି ନିର୍ଯ୍ୟାସ ଏଯାଏଁ ମିଳିନି । ଆଉ ଏବେ ଏ ଦିଗରେ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ହୋଇଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ ପାରାଦୀପ ତୈଳ ରିଫାଇନାରୀ ନିମନ୍ତେ ୨୦୦୪ ଫେବୃଆରୀ ୧୬ରେ ରାଜ୍ୟ ସରକାର ଓ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ପତ୍ରର ସର୍ତ୍ତ ଅନୁସାରେ ୧୧ ବର୍ଷ ପର୍ଯ୍ୟନ୍ତ ପାରାଦୀପ ରିଫାଇନାରୀରୁ ଉତ୍ପାଦିତ କୌଣସି ଉତ୍ପାଦର ବିକ୍ରିି ପାଇଁ ରାଜ୍ୟ ସରକାର କୌଣସି ଟ୍ୟାକ୍ସ ମାଗିବେ ନାହିଁ । କିନ୍ତୁ ଏହି ଟିକସ ଅର୍ଥକୁ ଋଣ ଆକାରରେ ଦ୍ୱାଦଶ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ଆଇଓସିଏଲ ଭରଣା କରିବ । ରିଫାଇନାରୀରେ ଉତ୍ପାଦନ ଆରମ୍ଭ ହେବା ସହ ଏହି ସର୍ତ୍ତ ଲାଗୁ କରାଯିବା ନେଇ ଚୁକ୍ତିରେ ଉଲ୍ଲେଖ କରାଯାଇଥିଲା ।

୨୦୧୫ ସେପ୍ଟେମ୍ବର ୨୨ରୁ ପାରାଦୀପ ରିଫାଇନାରୀରେ ଉତ୍ପାଦନ ଆରମ୍ଭ କରାଯାଇଥିଲା ଆଉ ୨୦୧୬ ଡିସେମ୍ବର ସୁଦ୍ଧା ଏହା ଉତ୍ପାଦ ଓଡିଶା ଭିତରେ ବିକ୍ରୟ କରି ପ୍ରାୟ ୧୪୮୫ କୋଟି ଟଙ୍କା ଟିକସ ଆକାରରେ ଆଦାୟ କରିଥିଲା । କିନ୍ତୁ ଫେବୃଆରୀ ୨୭ରେ ରାଜ୍ୟ ସରକାର ଆଇଓସିଏଲକୁ ଏକ ଡିମାଣ୍ଡ ନୋଟିସ ମାଧ୍ୟମରେ ୧୪୮୫ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନୋଟିସ ପାଇବା ପରେ ତୁରନ୍ତ ଏହି ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା ।

ଓଡିଶା ସରକାରଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା ଆଇଓସିଏଲ । ଆଉ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଆଇଓସିଏଲ ଠାରୁ ଏହି ଅର୍ଥ ଆଦାୟ ନେଇ କୌଣସି ପଦକ୍ଷେପ ନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୧୬ ମାର୍ଚ୍ଚ ୨୦୧୭ରେ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତି ରାଜ୍ୟ ସରକାର ଜାରୀ କରିଥିବା ଡିମାଣ୍ଡ ନୋଟିସ ଉପରେ ରୋକ ଲାଗାଇବା ସହିତ ଆଇଓସିଏଲ, ରାଜ୍ୟ ସରକାର, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ କାର୍ଯ୍ୟକାରୀ ଗୃପ ଦୁଇମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଉକ୍ତ ଖଣ୍ଡପୀଠ ରାୟ ଦେଇଥିଲେ ।

ହାଇକୋର୍ଟଙ୍କ ଏହି ରାୟ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଛି । କିନ୍ତୁ ବୈଠକର ନିର୍ଯ୍ୟାସ କେବଳ ସେହି କୋଠରୀ ମଧ୍ୟରେ ରହିଯାଇଛି । ଅର୍ଥାତ କୌଣସି ଶେଷ ନିଷ୍ପତି ନିଆଯାଇ ନଥିବାରୁ ଏହି ବିବାଦର ସମାଧାନ ହୋଇପାରିନାହିଁ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା ଏ ସମସ୍ୟାରେ ଏକ ନୂଆ ଦିଗ ଆଣିବ ବୋଲି ଆଶା କରାଯାଉଛି । ଅଫିସରମାନଙ୍କ ମଧ୍ୟରେ ବୈଠକ ବିଫଳ ହେବା ପରେ ଦୁଇ ନେତାଙ୍କ ଆଲୋଚନା ଏ ବିବାଦର ଅନ୍ତ କରାଇବ ବୋଲି ଆଲୋଚନା ହେଉଛି ।
ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ସବୁକିଛି ନିର୍ଭର କରୁଛି ବୋଲି ରାଜନୈତିକ ଓ ଅର୍ଥନୈତିକ ସମୀକ୍ଷକମାନେ ମତ ରଖିଛନ୍ତିି । ନିଜ ବିଭାଗର ମୁଖ୍ୟ ହୋଇ ଧର୍ମେନ୍ଦ୍ର ଓଡିଶା ସରକାରଙ୍କୁ ସହଯୋଗ କରିବେ ବୋଲି ବି କୁହାଯାଉଛି ।

ଅନ୍ୟପଟେ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଏହି ଭେଟଘାଟକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି । ପଂଚାୟତ ନିର୍ବାଚନରେ ଓଡିଶାରେ ବିଜେପିର ଅଭ୍ୟୁଦୟ ଓ ଶକ୍ତିବୃଦ୍ଧି ବିଜେଡିକୁ ଅଡୁଆରେ ପକାଇଛି । ଏପରିକି ରାଜ୍ୟ ସରକାରଙ୍କ ପାଇଁ ଏବେ ଏକ ଶକ୍ତିଶାଳୀ ବିରୋଧୀଦଳର ଭୁମିକା ନିଭାଉଛି । ଏମିତିକି ଓଡିଶା ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରମୁଖ ଦାବୀଦାର । ତେଣୁ ଦୁଇ ପାରମ୍ପାରିକ ବିରୋଧୀ ନେତାଙ୍କ ଭେଟ ରାଜ୍ୟ ରାଜନୀତିର ଗତିିର ବେଗ ବଢ଼ାଇ ଦେଇଛି ।

ଏହାକୁ ନେଇ ତିନି ପ୍ରମୁଖ ଦଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତିି । ଆଇଓସିଏଲ ନେଇ ଧର୍ମେନ୍ଦ୍ର-ନବୀନ ଭେଟ ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟା ରଖିଛି । କେନ୍ଦ୍ରମନ୍ତ୍ରୀ ଚାହିଁଲେ ବିବାଦର ସମାଧାନ ନିଶ୍ଚିତ ହେବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ରାଜ୍ୟ ସ୍ୱାର୍ଥ ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କ କାମ ହୋଇଥିବାବେଳେ ଦେଶର ସ୍ୱାର୍ଥ ରକ୍ଷା କରିବା କେନ୍ଦ୍ରମନ୍ତ୍ରୀଙ୍କ କାମ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜନୀତି କରନ୍ତୁନି ଏବଂ ରାଜ୍ୟର ଯଦି ନାର୍ଯ୍ୟ ଦାବି ଥାଏ ତେବେ ତାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନିନିଅନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।

ସେପଟେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାକୁ ନାପସନ୍ଦ କରିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଭେଟିବା ଠିକ୍ ହୋଇନି ବରଂ ଭେଟିବା ପାଇଁ ଆଇଓସିଏଲକୁ ସମନ କରାଯାଇପାରିଥାନ୍ତା ଓ ଧର୍ମେନ୍ଦ୍ରଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ କଥା ହୋଇପାରିଥାନ୍ତେ ବୋଲି ଦାମ ରାଉତ କହିଛନ୍ତି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରତିକ୍ରିିୟାରେ କହିଛନ୍ତି ବିଜେପି ଓ ବିଜେଡି ମଧ୍ୟରେ ଭିତିରି ସଂପର୍କ କାହାକୁ ଅଛପା ନାହିଁ । ଏମାନେ ଭୁବନେଶ୍ୱରରେ କଳି କରି ଦିଲ୍ଲୀରେ କୋଳାକୋଳି ହେଉଛନ୍ତି ବୋଲି କହିଛନ୍ତିି ତାରା ।

ଏନେଇ ପ୍ରତିିକ୍ରିୟା ରଖିଛି ରାଜ୍ୟ ବିଜେପି । ଦଳର ବିଧାୟକ ଦଳ ନେତା କେ.ଭଳି ସିଂଦେଓ କହିଛନ୍ତିି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସୁହାଇବା ଭଳି ନିଷ୍ପତି ନେବେ ଧର୍ମେନ୍ଦ୍ର । ତେଣୁ ଏ ବିବାଦର ସମାଧାନ କିଭଳି ହେବ ତାହା ଏବେ କହିହେବ ନାହିଁ । ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯିବ ନାହିଁ କିନ୍ତୁ ଏମଓୟୁରେ ରାଜ୍ୟ ସରକାର ରଖିଥିବା ସର୍ତ୍ତ ଉପରେ ଆପୋଷ ଆଲୋଚନା ମାଧ୍ୟମରେ ଏ ବିବାଦର ସମାଧାନ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତିି ।

ଏସବୁ ଭିତରେ ରାଜନୀତିକ ଚର୍ଚ୍ଚା ବି ମୁଣ୍ଡ ଟେକିଛି । ଯଦିଓ ଉଭୟ ନେତାଙ୍କ ମଧ୍ୟରେ ଏହା ସଂପୂର୍ଣ୍ଣ ସରକାରୀ ଆଲୋଚନା ତଥାପି ଏହାକୁ ନେଇ ଅନେକ କଥା କୁହାଯାଉଛି । ଏପରିକି ବିହାରରେ ଏନଡିଏକୁ ନୀତିଶ ସମର୍ଥନ ଦେଇ ମେଣ୍ଟର ଫର୍ମୁଲା ବଦଳାଇ ଦେଇଥିବା ବେଳେ ଓଡିଶାରେ ସାଧାରଣ ନିର୍ବାଚନ ସମୟରେ କିମ୍ବା ତା ପରେ ଏଭଳି ବିଜେଡି-ବିଜେପି ମେଣ୍ଟ ହେବା ନେଇ ମଧ୍ୟ ଅନେକ ଅଙ୍କ କଷିବା ଆରମ୍ଭ କଲେଣି । ତେଣୁ ଦୁଇ ପ୍ରମୁଖ ନେତାଙ୍କ ଏହି ଭେଟଘାଟର ରୂପରେଖ କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ।