ବିଜେପୁର ବିକାଶ ପାଇଁ ନବୀନ ମାଗିଲେ ଗୋଟିଏ ବର୍ଷ ! ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, କଣ କରୁଥିଲ ୧୮ ବର୍ଷ । ପ୍ରଚାର ଶେଷ ହେବା ପୂର୍ବରୁ ବିଜେପୁରରେ ହେଭିୱେଟଙ୍କ ଅପିଲ

37

କନକ ବ୍ୟୁରୋ : ବିଜେପୁରରେ ବାଜି ଲାଗିଛି ତିନି ଦଳର ସମ୍ମାନ । ଚାଲିଛି ଘମାଘୋଟ୍ ପ୍ରଚାର ଲଢେଇ । ଏହାରି ଭିତରେ ଆଜି ଦ୍ୱିତୀୟ ଦିନ ପାଇଁ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟରଙ୍କୁ ଅପିଲ କରି କହିଛନ୍ତି, ବିଜେପୁରର ବିକାଶ ପାଇଁ ବିଜେଡିକୁ ୧ ବର୍ଷର ସମୟ ଦିଆଯାଉ । ସେପଟେ ପ୍ରଚାର ମୈଦାନରେ ଓହ୍ଲାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି, ଗତ ୧୮ ବର୍ଷ ଧରି କଣ କରୁଥିଲେ ସରକାର ।

bijepurମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋତାମାଡ଼ ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ବିଜେପୁରରେ ଦ୍ୱିତୀୟ ଦିନରେ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ ।ଲୋକଙ୍କ ପାଖରେ ପହଂଚି ବୁଝାଇବାକୁ ଚେଷ୍ଟା କରିଛନ୍ତି-ବିଜେଡି, ଲୋକଙ୍କ ଆଶା-ଆକାଂକ୍ଷା ପୂରଣ କରିବ । ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡିକୁ ସୁଯୋଗ ଦିଆଯାଉ । ଗୋଟିଏ ବର୍ଷ ଭିତରେ ବିଜେପୁରର ଏକ ନୂଆ ପରିଚୟ ଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସ୍ଥାନୀୟ ସମସ୍ୟାକୁ ଅସ୍ତ୍ରକରି ଗାଏସିଲଟରେ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ପାଇଁ ପାଣି, ବୁଣାକାର ମୁଣ୍ଡରୁ ଜିଏସଟି ବୋଝ ହାଲୁକା କରିବା ସଂପର୍କରେ କହିବା ସହ କୋଶଳି ଭାଷାକୁ ସାମ୍ବିଧାନିକ ଭାଷାର ମାନ୍ୟତା ସଂପର୍କରେ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଏହି ଲଢ଼େଇରେ ରୀତା ସାହୁଙ୍କ ସହ ସାଥିରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପରିକି ବିଜେପୁର ନିର୍ବାଚନ ମଣ୍ଡଳୀର ବିକାଶ କାମ ମୁଁ ବ୍ୟକ୍ତିଗତ ଭାବରେ ଦେଖିବି । ଏକ ବର୍ଷ ଭିତରେ ମୁଁ ବିଜେପୁର ପାଇଁ ନୂଆ ପରିଚୟ ଆଣିବି, ଏ ଭରସା ମୋର ରହିଛି ବୋଲି ନବୀନ କହିଛନ୍ତି ।

ଆଉ ଏପଟେ ବିଜେପୁରର ପ୍ରଚାର ଲଢ଼େଇରେ ବିଜେଡିକୁ କାଉଂଟର କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀରୁ ଜଣେ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଆସି ଆଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସ୍ମୃତି ଇରାନୀଙ୍କ ପରେ ରାମକ୍ରିପାଲ ଯାଦବ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନିଂ କରିଛନ୍ତି । ଆଉ ମାଗିଛନ୍ତି ୧୮ ବର୍ଷର ହିସାବ ।
ଅନ୍ୟପଟେ ସିଧାସଳଖ ବିଜେପୁର ଦାୟିତ୍ୱ ନେବା କଥା କହୁଥିବା ମୁଖ୍ୟମନ୍ତ୍ରୀ, ଏତେ ଦିନ ଯାଏଁ କ’ଣ ଧୋକା କରୁଥିଲେ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ସେହିପରି ପାଣି, ନିଯୁକ୍ତି, ସ୍କୁଲକୁ ଶିକ୍ଷକ, ହସ୍ପିଟାଲକୁ ଡାକ୍ତର ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।ବିଜେଡି-ବିଜେପିର କଡ଼ା ଟକ୍କର ଭିତରେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ପ୍ରଚାର । ପାଖରେ ହାତଗଣତି କେଇ ଘଂଟା, ଆସନ୍ତକାଲି ପ୍ରଚାର ସରିବ । ଆଉ ଏହି ସମୟ ସୀମା ଭିତରେ ଲୋକଙ୍କ ପାଖରେ ନିଜର ବାର୍ତା ପଠାଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସବୁ ରାଜନୈତିକ ଦଳ ।