ମହିଳା ଆଣିଦେଲେ ମହାବିଜୟ । କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ।

195

କନକ ବ୍ୟୁରୋ: ଶେଷରେ ମହିଳାଙ୍କୁ ଧନ୍ୟବାଦ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୯ ଯୁଦ୍ଧରେ ବାଜିମାତ୍ କରିବା ପଛରେ ଏଥର ବିଜେଡି ପାଇଁ ମହିଳାମାନେ ଥିଲେ ପ୍ରମୁଖ ଅସ୍ତ୍ର, ଆଉ ଏହି ଅସ୍ତ୍ରକୁ ନବୀନ ସଠିକ୍ ସ୍ଥାନ ଏବଂ ସଠିକ ସମୟରେ ଉପଯୋଗ କରି ବିରୋଧୀଙ୍କୁ ଚେକ୍ ଦେବାରେ ସକ୍ଷମ ହୋଇଥିଲେ । ଯାହାର ଫଳାଫଳ ୧୧୨ ବିଧାୟକ ସହ ୧୨ ସାଂସଦ ସିଟ୍ ହାତେଇ ପୁଣି ବହୁମତ ପାଇଛି ବିଜୁ ଜନତା ଦଳ । ଆଉ ୫ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର କ୍ଷମତା ଡ଼ୋରୀ ନିଜ ହାତକୁ ନେବାକୁ ଯାଉଛନ୍ତି ।

ସବୁଠାରୁ ବଡ଼ କଥା ହେଲା କି, ଚଳିତ ନିର୍ବାଚନରେ ରାଜ୍ୟରେ ମୋଟ୍ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ଜଣ ମହିଳା ଭୋଟର ରହିଥିଲେ ଏବଂ ସେମାନଙ୍କ ମନଜିଣିବାରେ ସଫଳ ହୋଇଥିଲେ ନବୀନ । ଏପରିକି ନବୀନ ଜାଣିଥିଲେ ରାଜ୍ୟର ମୋଟ୍ ଭୋଟରଙ୍କ ୪୮.୬୨ ପ୍ରତିଶତ ଭୋଟ୍ ମହିଳାଙ୍କ ହାତରେ ରହିଛି ତେଣୁ ମହିଳା ହିଁ ନିର୍ବାଚନରେ ଗେମଚେଞ୍ଜର ସାଜିବେ  । ସେଥିଲାଗି ମହିଳା ଭୋଟବ୍ୟାଙ୍କକୁ ନିଜ ସପକ୍ଷକୁ ନେବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସଫଳ ହୋଇଥିଲେ । ଆଉ ଯାହାର ପରିଣାମ ନବୀନ ଏବେ ୫ଥର ପାଇଁ ରାଜ୍ୟର ମଙ୍ଗ ଧରିବାକୁ ଯାଉଛନ୍ତି ।

ଅନ୍ୟପଟେ ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବା କଥା ରଖି ମହିଳାଙ୍କ ହୃଦୟ ଜିଣିଛନ୍ତି ନବୀନ । ଏହାପରେ ବିଜେଡିର ଇସ୍ତାହାର ପତ୍ର ଏବଂ ନିର୍ବାଚନୀ ମୈଦାନରେ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା, ଅନେକ ପ୍ରତିଶ୍ରୁତି ନୂଆ ସରକାର ଗଢ଼ିଲେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ । ତେବେ ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ବଡ଼ ବିଜୟ ଆଣିପାରିଛି ବିଜେଡି ତେଣୁ ରାଜ୍ୟର ମହିଳା ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।