ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । ଟ୍ୱିଟ୍ କରି କହିଲେ, ମିଳିତ ଭାବେ କାର୍ଯ୍ୟ କଲେ ହୋଇପାରିବ କରୋନା ମୁକାବିଲା ।

1,423

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ନବୀନଙ୍କୁ ପ୍ରଂଶସା କରିଥିଲେ ମୋଦି । ଆଉ ଏହାର କିଛି ସମୟ ମଧ୍ୟରେ ଟ୍ୱିଟ୍ କରି ନବୀନ ଏହାର ଜବାର ରଖିଥିଲେ । କରୋନା ଶତାବ୍ଦୀର ବଡ ଚ୍ୟାଲେଞ୍ଜ । ମିଳିତ ଭାବେ କାର୍ଯ୍ୟ କଲେ କରୋନା ମୁକାବିଲା କରାଯାଇପାରିବ । ଏହାଛଡ଼ା ଉତ୍ସାହପ୍ରଦ ମନ୍ତବ୍ୟ ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।

ଏହାପୂର୍ବରୁ ଆଜି କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ବାବଦରେ ୱେବସାଇଟରେ ପଞ୍ଜୀକରଣ କରିବା ନେଇ ନବୀନଙ୍କୁ ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ ନବୀନଙ୍କ ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ଉଦାହଣ ବୋଲି କହିଛନ୍ତି ମୋଦି । ଏହାସହ ନବୀନଙ୍କ ପଦକ୍ଷେପକୁ ଅନ୍ୟମାନେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ଯାହାଦ୍ୱାରା କରୋନା ଭାଇରସ ବ୍ୟାପିବା ପୂର୍ବରୁ ରୋକାଯାଇପାରିବ ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ପଦକ୍ଷେପ ଆପଣାଇଛନ୍ତି । ଯେଉଁଥିରେ ୱେବସାଇଟରେ ପଞ୍ଜୀକରଣ ଭଳି ବ୍ୟବସ୍ଥା ରହିଛି । ଏହାଦ୍ୱାରା ବାହାରୁ ଆସିଥିବା ବ୍ୟକ୍ତି ନିଜ ବାବଦରେ ଏହି ୱେବସାଇଟରେ ଦେବା ବାଧ୍ୟତାମୂଳକ କରାଯାଇଛି । ଯାହାଦ୍ୱାରା ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ଅତି ସହଜରେ ଚିହ୍ନଟ କରାଯିବା ସହ ଏମାନଙ୍କୁ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇପାରିବ । ଏହି କ୍ରମରେ ଆଜି ସରକାରୀ ୱେବସାଇଟରେ ବାହାରୁ ଆସିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ବାବଦରେ ୱେବସାଇଟରେ ତଥ୍ୟ ଉଲ୍ଲେଖ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ସମସ୍ତେ ସୁରକ୍ଷିତ ରହିପାରିବେ ।

ସେହିଭଳି ପୁରୀ ଗଜପତି ମହାରାଜ ବାହାରୁ ଆସିବା ପରେ ସ୍ୱତଃପ୍ରବୃତ ଭାବେ ନିଜର ଓ ନିଜ ପରିବାର ବାବଦରେ ୱେବସାଇଟରେ ପଞ୍ଜୀକରଣ କରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରିବା ପରେ ୱେବସାଇଟରେ ପଞ୍ଜୀକରଣ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।