ଦୁଇ ଦଳର ଶୀର୍ଷ ନେତାଙ୍କ ମୁଡ୍ ବଦଳାଇଲା ବାତ୍ୟା ଫୋନି । ‘ପ୍ରଂଶସା’ର ରିଟର୍ଣ୍ଣ ଗିଫ୍ଟ ‘ଧନ୍ୟବାଦ’ରେ ।

476

କନକ ବ୍ୟୁରୋ : ରାଜନୀତିରେ ଧନ୍ୟବାଦ । ମୋଦିଙ୍କୁ ଧନ୍ୟବାଦ ଦେଇ ରିଟର୍ଣ୍ଣ ଗିଫ୍ଟ କରିଛନ୍ତି ନବୀନ । ବାତ୍ୟା ଫୋନି ପରେ ରାଜ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ନିର୍ବାଚନ ସଭାରୁ ଦୁଇ ଦଳର ଶୀର୍ଷ ନେତା ପରସ୍ପରକୁ କଡା ସମାଲୋଚନା କରୁଥିବା ବେଳେ ବାତ୍ୟା ଫୋନି ଏହି ଧାରାରେ ବ୍ରେକ ଲଗାଇବା ସହ ରାଜନୀତିରେ ଧନ୍ୟବାଦ ପର୍ବ ଆରମ୍ଭ କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ବାତ୍ୟା ଫୋନି ବିଦାୟ ନେବା ସହ ଦୁଇ ଦଳର ଶୀର୍ଷ ନେତାଙ୍କ ମୁଡ ବଦଳାଇଛି । ନିର୍ବାଚନ ସଭାରେ ଉଚ୍ଚ ସ୍ୱରରେ ପରସ୍ପରକୁ ଟାର୍ଗେଟ କରୁଥିବା ନେତା ବାତ୍ୟା ଫୋନି ପରେ ନରମ ସ୍ୱରରେ ଧନ୍ୟବାଦ ଦେଉଥିବାର ଦେଖିବାକୁ ମିଳିଛି । ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଅନ୍ୟପଟେ ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ମୋଦି ଏବଂ ଓଡିଶା ବିଜେପିର ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ୩ ଚରିତ୍ରଙ୍କୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଛି ଧନ୍ୟବାଦ ପର୍ବ ।

ମୋଦିଙ୍କ ‘ପ୍ରଂଶସା’ର ରିଟର୍ଣ୍ଣ ଗିଫ୍ଟ ‘ଧନ୍ୟବାଦ’ରେ ଦେଲେ ନବୀନ । ଗୋଟିଏ ପଟେ ପ୍ରଳୟଙ୍କାରୀ ବାତ୍ୟା ଫୋନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତୁତି କରିଥିଲେ ସେଥିପାଇଁ ନବୀନଙ୍କୁ ପ୍ରଂଶସା କରିବା ସହ ବାତ୍ୟା ସମୟରେ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିଥିବାରୁ ଧନ୍ୟବାଦ ଦେବାକୁ ଭୁଲିନଥିଲେ । ଅନ୍ୟପଟେ ପ୍ରଳୟଙ୍କାରୀ ବାତ୍ୟା ଫୋନି ପ୍ରହାରରେ ଭୁଷୁଡି ପଡିଥିବା ଓଡିଶା ସହ କେନ୍ଦ୍ର ସରକାର କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିବା ବେଳେ ରାଜ୍ୟର ଏଭଳି ସଙ୍କଟଜନତ ସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିଟର୍ଣ୍ଣ ଗିଫ୍ଟ ବାବଦକୁ ଧନ୍ୟବାଦ ଦେବାକୁ ମଧ୍ୟ ଟିକିଏ ବି କୁଣ୍ଠାବୋଧ କରିନାହାନ୍ତି ନବୀନ ।

କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ବରଂ ବାତ୍ୟା ଫୋନି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଫୋନି ମାଡରେ ଅଧା ଓଡିଶା ଛାରଖାର ହୋଇଯାଇଥିବା ବେଳେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଥିଲା । ଖାସକରି ପୁରୀ ସହରରେ ବାତ୍ୟା ଫୋନିର ପ୍ରହାର ଏତେ ଜୋର ଥିଲା ଯେ, ଏଯାଏଁ ଏଠାରେ ବିଦ୍ୟୁତ ଆଲୁଅ ପହଞ୍ଚି ପାରିନାହିଁ । ଏଭଳି ସ୍ଥିତିରେ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତ ୧୦ ତାରିଖରେ ଚିଠି ଲେଖି ଅତିରିକ୍ତ ୧୦୦୦ ଲିଟର କିରୋସିନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ତେବେ ବାତ୍ୟା ପରର ସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶା ପାଇଁ ମାଗଣା ୧୦୦୦ ଲିଟର କିରୋସିନ ଦେବାକୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ନବୀନ । ରାଜନୀତିରେ ଏହି ଧନ୍ୟବାଦକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

ଭିନ୍ନ ଭିନ୍ନ ନିର୍ବାଚନ ସଭାମଞ୍ଚରୁ ଜନସାଧାରଣଙ୍କୁ ଦେଇଥିବା ପୂର୍ବ ପ୍ରତିଶୃତିକୁ ନେଇ ଦୁଇ ଦଳର ଶୀର୍ଷ ନେତା ପରସ୍ପର ଉପରେ ପ୍ରଶ୍ନ ଉଠାଉଥିବା ବେଳେ ବାତ୍ୟା ଫୋନି ପରେ ଗୋଟିଏ ହେଲିକପ୍ଟରରେ ବସି ସ୍ଥ୍ିତିର ସମୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଲାଗୁଥିଲା ସତେ ଯେମିତି ନିର୍ବାଚନ ସମୟରେ ଥିବା ରାଜନୈତିକ ତିକ୍ତତାକୁ ଭୁଲାଇ ଦେଇଥିଲା ବାତ୍ୟା ଫୋନି । କେବଳ ଏତିକି ନୁହେଁ ନିର୍ବାଚନ ସମୟରେ ନବୀନ ଯେଉଁଭଳି ଭାବେ ତିତଲି, ହୁଡୁହୁଡ, ଫାଇଲିନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ତାହାର ବ୍ୟତିକ୍ରମ ଫୋନି ସମୟରେ ଦେଖିବାକୁ ମିଳିଥିଲା । ବାତ୍ୟାର ୩ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସିବା ସହ ସ୍ଥିତିର ସମୀକ୍ଷା କରି ସହାୟତା ରାଶି ଘୋଷଣା କରିଥିଲେ । ଯେଉଁଥିପାଇଁ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ । ଠିକ୍ ସେହିଭଳି ପୂର୍ବରୁ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାର ଫେଲ ମାରିଥିବା ନେଇ ବିଜେପିର ରାଜ୍ୟ ନେତୃବୃନ୍ଦ ଯେଉଁ ଡିଣ୍ଡିମ ପିଟୁଥିଲେ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ନବୀନ । ବାତ୍ୟା ଫୋନିର ସଫଳ ମୁକାବିଲା କରିବା ସହ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱ ଦରବାରରୁ ପ୍ରଂଶସା ସାଉଁଟିଛନ୍ତି ନବୀନ । ରାଜନୀତିର ଏହି ପ୍ରଂଶସା ଓ ଧନ୍ୟବାଦ ପର୍ବକୁ ନେଇ ରାଜନୀତି କରିଡରରେ ଭିନ୍ନ ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି । କାରଣ ଆଗକୁ ଆସୁଛି ମେ ୨୩ ।