ନିଜ ଜିଲ୍ଲାରୁ ରଣହୁଙ୍କାର ଦେଲେ ନବୀନ । ପ୍ରଚାର ଆରମ୍ଭରୁ ବର୍ଷିଲେ ବିଜେଡି ସୁପ୍ରିମୋ, କହିଲେ ବନ୍ୟା ବାତ୍ୟା ବେଳକୁ ଆସିଲେ ନାହିଁ ଭୋଟ ବେଳକୁ ଚାଲି ଆସିଲେ

681

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଆସନ୍ତା ୧୧ ଏପ୍ରିଲରେ ହେବାକୁ ଥିବା ବେଳେ ଆଜି ବ୍ରହ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଓ ଏହା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ପାଇଁ ଆସନ୍ତା ୧୧ ତାରିଖରେ ଭୋଟ ହେବାକୁ ଥିବା ବେଳେ ନବୀନ ନିଜ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ।

କନିଷିରେ ନିର୍ବାଚନ ସଭାରେ ଯୋଗ ଦେବା ପରେ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖର ସାହୁଙ୍କ ସମେତ ଦଳୀୟ ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ସୁପ୍ରିମୋ । ଫାଇଲିନ, ହୁଡହୁଡ, ତିତିଲି ବେଳେ ଆସିଲେ ନାହିଁ କିନ୍ତୁ ଭୋଟବେଳକୁ ଚାଲି ଆସିଲେ । ବିଜେପିର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ର ସରକାର ନିଯୁକ୍ତିକୁ ନେଇ ଦେଇଥିବା ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ ପଚାରିଛନ୍ତି ନବୀନ । କେନ୍ଦ୍ର ସରକାରଙ୍କ ୧୦ କୋଟି ଚାକିରିର ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ ପଚାରିଛନ୍ତି ନବୀନ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହିିଁକ ସାହାର୍ଯ୍ୟ କରିବା ପରିବର୍ତ୍ତେ ରାଜ୍ୟକୁ ଅଣଦେଖା କରାଯାଉଛି । କାହିଁକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡିଶାକୁ ସାହାର୍ଯ୍ୟ ମିଳୁନାହିଁ ତାହାକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରିଛନ୍ତି ନବୀନ ।

ନିର୍ବାଚନ ବେଳେ ସମସ୍ତେ ବଡ ବଡ କଥା କହିବେ କିନ୍ତୁ ନିର୍ବାଚନ ସରିବା ପରେ କାହାର ଦେଖା ମିଳିବ ନାହିଁ କହିବା ସହ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ । କିନ୍ତୁ ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ସହ ରହିଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ତେଣୁ ନିର୍ବାଚନରେ ଚାଷୀ ହିଁ ବିରୋଧୀଙ୍କୁ କଡା ଜବାବ ଦେବେ ବୋଲି କହିଛନ୍ତି ନବୀନ । ଏହାସହ ତାଙ୍କୁ ପୁଣିଥରେ ଆର୍ଶୀବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରକୁ ନିବେଦନ କରିଛନ୍ତି ।

କନିଷି ନିର୍ବାଚନ ସଭା ପରେ ନବୀନ ପ୍ରାୟ ୬୦ କିମି ରୋଡ ସୋ କରିବେ । ପରେ ଛତ୍ରପୁରରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କନିଷି ସାଧାରଣ ସଭାରେ ନବୀନଙ୍କ ଟିକିଏ ଝଲକ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ କର୍ମୀ ମାନେ ଏକାଠି ହୋଇଥିଲେ ।

Comments are closed.