ବିଜେଡିର ବଡ ସୋ’କୁ ଟାର୍ଗେଟ୍ ! ଜବାବ ମାଗୁଛି ଓଡିଶା କହି ଗେରୁଆ ରଥ ଗଡାଇବ ବିଜେପି, ସେପଟେ କଳା ଦିବସ ପାଳିଲା କଂଗ୍ରେସ ।

152

କନକ ବ୍ୟୁରୋ : ବିଜେଡିର ପ୍ରତିଷ୍ଠା ଦିବସରେ ଆଜି ଆକ୍ରମଣାତ୍ମକ ଢଙ୍ଗରେ ଦଳର ସୁପ୍ରିମୋ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି । ମୋଦି ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଛନ୍ତି ନବୀନ । ସେପଟେ ସମାନ୍ତରାଳ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ଜନଜାଗରଣ ପାଇଁ ଆଜିଠୁ ଗଡିଛି ବିଜେପି ରଥ । ‘ଜବାବ ମାଗୁଛି ଓଡିଶା’ ନାଁରେ ଏହି ବିଜେପି ଗେରୁଆ ରଥ ଗୁଡିକ ସାରା ରାଜ୍ୟରେ ନବୀନ ସରକାରଙ୍କ ବିରୋଧରେ ପ୍ରଚାର କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ବାହାଘର ବେଳେ ବାଇଗଣ ରୋଇବା ଭଳି କାମ କରି ଲୋକଙ୍କୁ ଯୋଜନା ନାଁରେ ଭୁଆଁ ବୁଲାଉଛନ୍ତି ।

ପ୍ରତିଷ୍ଠା ଦିବସରେ ପ୍ରତିପକ୍ଷଙ୍କୁ କଡା କଥା । ନିର୍ବାଚନୀ ବର୍ଷରେ ଆକ୍ରମଣାତ୍ମକ ନବୀନ । ନିର୍ବାଚନୀ ଲଢେଇରେ ଦୁଇଟି ଜାତୀୟ ଦଳକୁ ଦୀର୍ଘବର୍ଷ ହେଲା ମାତ୍ ଦେଇଆସୁଥିବା ବିଜୁ ଜନତା ଦଳ ପୁଣି ଗୋଟିଏ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛି । ଯେଉଁଥିପାଇଁ ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସର ଗୁରୁତ୍ୱ ବେସ ବଢିଯାଇଛି । ଆଉ ଏହି ଅବସରକୁ ସୁଯୋଗରେ ପରିଣତ କରି କେନ୍ଦ୍ରରେ ବିଜେପି ସରକାର ଉପରେ ଜୋରଦାର ପ୍ରହାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

– ଖୋର୍ଦ୍ଧ-ବଲାଙ୍ଗୀର ରେଳପଥ କଥା ପିଲା ଇତିହାସରେ ପଢିବେ

– ଖଣି ଟଙ୍କା ନେଇ କେନ୍ଦ୍ର କେବଳ ପ୍ରଦୂଷଣ ଦେଉଛି

– ସ୍ୱତନ୍ତ୍ର ପାହ୍ୟା ଦରକାର ନାହିଁ ଅର୍ଥନୈତିକ ସ୍ୱାଧୀନତା ଦିଅ

– ଚାଷୀଙ୍କୁ ଉଚିତ୍ ସମୟରେ ସହାୟତା କିମ୍ବା ଉତ୍ପାଦର ମୂଲ୍ୟ ମିଳୁନି

– ଉଜ୍ୱଳା ଯୋଜନାର ପ୍ରଚାର ବଢିଛି ଦର ବୃଦ୍ଧି ଯୋଗୁଁ ରିଫିଲ ହେଉନି

– ଜାତୀୟ ରାଜପଥରେ ଲୋକେ ଭଗବାନ ଭରସାରେ ଯାଉଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗରେ ଥିଲା ଖୁବ ଟାଣପଣ । କେନ୍ଦ୍ରର ବିଫଳତାକୁ ଅତି ବ୍ୟଙ୍ଗାତ୍ମକ ଶୈଳୀରେ ସମାଲୋଚନା କରିଥିଲେ ନବୀନ ପଟ୍ଟନାୟକ । ଜାତୀୟ ରାଜପଥରୁ ଆରମ୍ଭ କରି ରେଳ ଲାଇନକୁ ନେଇ ରହିଥିଲା ତୀର୍ଜକ ସମାଲୋଚନା । ଜାତୀୟ ରାଜପଥରେ ଲୋକେ ଭଗବାନ ଭରସାରେ ଯାଆ ଆସ କରୁଛନ୍ତି ଓ ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ଇତିହାସ ପୃଷ୍ଠାରେ ରହିଯିବ ଭଳି ଶାଣିତ ଟିପ୍ପଣୀ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ସିଧାସିଧା ଅଭିଯୋଗ କରିଛନ୍ତି ବିଜେପି, କଂଗ୍ରେସ ଭଳି ଜାତୀୟ ଦଳ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ।

ରାଜନୀତିରେ ଗୋଟିଏ ଶିବିରରୁ ପ୍ରଶ୍ନ ଆସିଲେ ପ୍ରତିପକ୍ଷ କ୍ୟାମ୍ପରୁ ପ୍ରତିକ୍ରିୟା ଆସିବା ସ୍ୱାଭାବିକ । ନବୀନଙ୍କ ଅଭିଯୋଗରେ ପାଲଟା ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳବାଇଠାରୁ ଆରମ୍ଭ କରି ମହିଳା ସଂରକ୍ଷଣ, ଉଜ୍ୱଳା, ତେଲଦର ଓ ଦୁର୍ନୀତି ପ୍ରସଙ୍ଗରେ ବିଜେଡି ମୁଖ୍ୟଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପିର ପୋଷ୍ଟର ବୟ ।

– ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କେତେ ଜମି ଅଧିଗ୍ରହଣ ହୋଇଛି?

– ମହିଳା ସଂରକ୍ଷଣ କଥା କହୁଥିବା ନବୀନଙ୍କ ମନ୍ତ୍ରିମଣ୍ଡଳରେ କେତେ ମହିଳା ଅଛନ୍ତି?

– ୨ ମାସରେ ତେଲଦର ୨୦ ଟଙ୍କା କମିଛି ରାଜ୍ୟ ଟିକସ କମାଉନାହିଁ କାହିଁକି?

– ଚିଟଫଣ୍ଡ, ପିସି ଓ ଦୁର୍ନୀତିର ଦାନବକୁ ଦାନା କିଏ ଦେଉଛି?

୨୦୧୯ ସାଧାରଣ ନିର୍ବାଚନକୁ ଆଉ କେଇମାସ ଥିବାବେଳେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ଶୀର୍ଷରେ ପହଂଚିଛି । ହେଲେ ଦୁଇଦିନ ତଳେ ଓଡିଶା ଆସି ବିଜେଡି ସରକାରଙ୍କ ବିରୋଧରେ ଖୁବ ନରମ ମନୋଭାବ ଦେଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ନବୀନଙ୍କ କ୍ଷେତ୍ରରେ ଠିକ ବିପରିତ ଆଚରଣ ଦେଖିବାକୁ ମିଳିଛି ।

ସେପଟେ ବିଜେଡି ଓ ବିଜେପିକୁ କାଉଂଟର କରି ଆଜି କଳା ଦିବସ ପାଳନ କରିଛି କଂଗ୍ରେସ । ମୁହଁରେ କଳାପଟି ବାନ୍ଧି କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଛନ୍ତି । ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ଜରିଆରେ ପଂଚାୟତର କ୍ଷମତାକୁ ସଂକୁଚିତ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିସହ କୃଷିରୁଣ ୨ ଲକ୍ଷ ଟଙ୍କା ଯାଏଁ ରୁଣ ଛାଡ, ଧାନ କ୍ୱିଂଟାଲ ପିଛା ଚାଷୀଙ୍କୁ ୨୯ଶହ ଟଙ୍କା ଦେବାକୁ ଦାବି ହୋଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଲାସୁତରାରେ ଦୁର୍ନୀତି ଚାଲିଛି । ଆଗକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ବିରୁଧରେ କଂଗ୍ରେସ ଜିଲ୍ଲା ଓ ବ୍ଲକ ସ୍ତରୀୟ ଘେରାଉ କରିବ ବୋଲି କଂଗ୍ରେସ ନେତା କହିଛନ୍ତି ।