ସଂପ୍ରସାରିତ ହେଲା କାଳିଆ ଯୋଜନା: ବାଦପଡିବେନି ଯୋଗ୍ୟ ହିତାଧିକାରୀ, ୫ଲକ୍ଷ ଭୂମିହୀନଙ୍କୁ ବି ମିଳିବ ଆର୍ଥିକ ସହାୟତା

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

308

କନକ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି କ୍ୟାବିନେଟରେ ଗୋଟିଏ କି ଦୁଇଟି ନୁହେଁ, ପୂରା ୧୬ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ଗତକାଲିର ବୈଠକରେ ଗାଁ ଠୁ ସହର, ଶିକ୍ଷା ଠାରୁ ସ୍ବାସ୍ଥ୍ୟ, ପାନୀୟ ଜଳ, ହସ୍ତଶିଳ୍ପ କାରିଗରଙ୍କ ଠାରୁ ଆରମ୍ଭ କରି ସଚିବାଳୟ କର୍ମଚାରୀ, ଚାଷୀଙ୍କ ପର‌୍ୟ୍ୟନ୍ତ ସମସ୍ତଙ୍କୁ ଖୁସି କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି।

ସବୁଠାରୁ ବଡ଼ କଥା ହେଲା, କାଳିଆ ଯୋଜନାକୁ ଗତକାଲି ପୁଣି ସଂପ୍ରସାରିତ କରାଯାଇଛି। ଗୋଟିଏ ପଟେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଏହି ସହାୟତା ପାଇବାରୁ ବଞ୍ଚିତ କରାଯିବ ନାହିଁ, ତେଣିକି ସଂଖ୍ୟା ଯାହା ବି ହେଉ। ଅନ୍ୟପଟରେ ଭୂମିହୀନ ଚାଷୀ ପରିବାର ସଂଖ୍ୟାକୁ ୧ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟଶାସନ ସଚିବ କହିଥିଲେ, ଚାଷୀଙ୍କ ଜୀବିକା ଓ ଆୟବୃଦ୍ଧି ନିମିତ୍ତ କୃଷକଙ୍କୁ ସହାୟତା (କାଳିଆ) ଯୋଜନାରେ ପ୍ରଥମ ପର‌୍ୟ୍ୟାୟରେ ୧୩.୦୩ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କର ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା ଲେଖାଏଁ ଦିଆଯାଇଛି।

ଏ ସଂକ୍ରାନ୍ତ ୱେବସାଇଟକୁ ୧ କୋଟି ଲୋକ ଦେଖିଛନ୍ତି। ୬୭ଲକ୍ଷ ଆବେଦନ କରିଛନ୍ତି ଓ ୮ଲକ୍ଷ ଚାଷୀ କାଳିଆ ବାର୍ତାରେ ଯୋଗାଯୋଗ କରିଛନ୍ତି। ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ, ୧ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ଜୀବନ ଜୀବିକା ପ୍ରଦାନ କରିବାକୁ ୧୨ ହଜାର ୫୦୦ ଟଙ୍କା ଦିଆଯିବ। ଏଥିରେ ସେମାନେ ରୋଜଗାର ବାଟ ଖୋଲିବେ। କିନ୍ତୁ ଗତକାଲି ସ୍ଥିର ହୋଇଛି, ଏହି ସଂଖ୍ୟାକୁ ୫ଲକ୍ଷକୁ ବୃଦ୍ଧି କରାଯିବ। ୧୨ ହଜାର ୫୦୦ ଟଙ୍କା ମଧ୍ୟରୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ସେମାନଙ୍କୁ ଦିଆଯିବ ଓ ବାକି ଅର୍ଥରାଶି ଦୁଇଟି କିସ୍ତିରେ ଚାଷୀ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଖରିଫ ଫସଲ ସହାୟତା ଚାଷୀଙ୍କୁ ଅକ୍ଷୟ ତୃତୀୟା ଦିନ ଓ ରବି ଫସଲ ସହାୟତା ନୂଆଖାଇ ଦିନ ପ୍ରଦାନ କରାଯିବ। ତେବେ ଚଳିତବର୍ଷ ଏ ବାବଦରେ ୧୬୬୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଯେଉଁ ଅଟକଳ କରାଯାଇଥିଲା, ସେଥିରେ କୌଣସି ବୃଦ୍ଧି ଘଟିବ ନାହିଁ।

ଲକ୍ଷେ ନୁେହଁ ପାଞ୍ଚଲକ୍ଷ ଭୂମିହୀନ ଚାଷୀଙ୍କୁ ବି ସହାୟତା, ପ୍ରଥମ କିସ୍ତିରେ ମିଳିବ ୫ ହଜାର

ରାଜ୍ୟ ସରକାର ଗତକାଲି ପ୍ରସ୍ତାବିତ ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା ସଂଶୋଧନ ନିୟମକୁ ଅନୁମୋଦନ ଦେଇଛନ୍ତି। ଏଣିକି କନିଷ୍ଠ ବର୍ଗ ସେବା ପରିଦର୍ଶିକା ବା ସୁପରଭାଇଜର ପଦବିରେ ନିଯୁକ୍ତି ନିମନ୍ତେ ଅଙ୍ଗନବାଡି କର୍ମୀଙ୍କୁ ଅଗ୍ରାଧିକାର ଦିଆଯିବ। ପୂର୍ବରୁ ନିୟମ ଥିଲା ଯେ ଏହି ପଦବିକୁ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରୁ ୩୦ ପ୍ରତିଶତ, ଗ୍ରାମସେବିକାଙ୍କ ମଧ୍ୟରୁ ୪୦ ପ୍ରତିଶତ ଓ ୩୦ ପ୍ରତିଶତ ସିଧାସଳଖ ଭାବେ ନିଯୁକ୍ତି ଦିଆଯିବ। କିନ୍ତୁ ଗତକାଲିର ନିଷ୍ପତ୍ତି ଅନୁସାରେ, ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କୁ ଚୟନ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ମିଳିବ ଓ ବାକି ୫୦ ପ୍ରତିଶତ ମଧ୍ୟରୁ ୪୭ ପ୍ରତିଶତ ସିଧାସଳଖ ନିଯୁକ୍ତି, ୩ ପ୍ରତିଶତ ଗ୍ରାମସେବିକାଙ୍କୁ ପଦୋନ୍ନତି ଭିତ୍ତିରେ ଅବସ୍ଥାପିତ କରାଯିବ। ତେବେ ଉପଲବ୍ଧ ଗ୍ରାମସେବିକା ପଦୋନ୍ନତି ପାଇସାରିବା ପରେ ୫୦ ପ୍ରତିଶତ ପଦବିରେ ସିଧାସଳଖ ନିଯୁକ୍ତି ହେବ। ରାଜ୍ୟର ଗ୍ରାମାଞ୍ଚଳରେ ସ୍ଥାପନ ହେବାକୁ ଥିବା ୨୫ଟି ଘରୋଇ ମେଡିକାଲ ପାଇଁ ବାଟ ଖୋଲିଛି। ସରକାର ସ୍ଥିର କରିଛନ୍ତି ଯେ ସରକାରୀ ଘରୋଇ ଭାଗିଦାରୀ ଭିତ୍ତିରେ ଅର୍ଥାତ୍ ପିପିପିରେ ଏସବୁ ପ୍ରକଳ୍ପ କରାଯିବ। ସରକାର ସବ୍ ଲିଜରେ ଜମି ଦେବେ। ୨ ବର୍ଷ ନିର୍ମାଣ ଅବଧି ଓ ୩୦ ବର୍ଷ ଚୁକ୍ତିରେ ତଥା ପ୍ରଚଳିତ ଶିଳ୍ପ ନୀତି-୨୦୧୫ ଦରରେ ସେମାନଙ୍କୁ ଜମି ମିଳିବ।
କ୍ୟାବିନେଟ୍ ଗତକାଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସହାୟତା ଯୋଜନାକୁ ବି ସଂପ୍ରସାରିତ କରିଛନ୍ତି। ସଫଳ ସେବା ପ୍ରଦାନ ପାଇଁ ଆଶାକର୍ମୀଙ୍କୁ ସର୍ତମୂଳକ ପାରିଶ୍ରମିକ ବାବଦକୁ ମାସିକ ୨ ହଜାର ଟଙ୍କା, ପ୍ରସୂତିକାଳୀନ ସୁବିଧା ବାବଦକୁ ୬ମାସ ପାଇଁ ମାସିକ ୧୦୦୦ ଟଙ୍କା ଓ ୫ ବର୍ଷ ପାଇଁ ସାଇକଲ, ଆଲମିରା, ଟର୍ଚ୍ଚ, ଛତା, ଚପଲ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ୫୧୭ କୋଟି ଟଙ୍କାର ପରିବର୍ଧିତ ବ୍ୟୟ ଅଟକଳ କରାଯାଇଛି। ଏଥିରୁ ୨୭୬ କୋଟି ରାଜ୍ୟ ବଜେଟରୁ ଓ ବଳକା ଅର୍ଥ ଡିଏମଏଫ୍ କର୍ପସ, ଏନ୍ଏଚ୍ଏମ ଆଦିରୁ ଭରଣା ହେବ। ସେହିଭଳି ଆସନ୍ତା ଫେବ୍ରୁଆରି ପହିଲାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ସଂପ୍ରସାରିତ କରାଯାଉଛି। ଏଥିରେ ଜନସାଧାରଣଙ୍କୁ ଆଚାର‌୍ୟ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର, ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, କଟକ ଓ ସର୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ପ୍ରତିଷ୍ଠାନ ସହିତ ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ।